କିଶୋର କୁମାର ଜେନା ପାଇଛନ୍ତି ୨୦୨୩ ବର୍ଷ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର।

ଜାତୀୟ କ୍ରୀଡା ଦିବସ ଅବସରରେ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହାସିକତା ପୁରସ୍କାର ଉତ୍ସବ ସମାରୋହ ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଅନ୍ୟଅତିଥିମାନେ ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତେବେ ହକି ଅଲିମ୍ପିଆନ ଲାଜରୁସ ବାର୍ଲାଙ୍କୁ ମୁଖ୍ୟମନ୍ତ୍ରୀ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ଆକାରରେ ତାଙ୍କୁ ଟ୍ରଫି ଓ ମାନପତ୍ର ସହ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

ସେହିପରି ଶ୍ରେଷ୍ଠ ଆଥଲେଟ୍‌ ପୁରସ୍କାର ପାଇଥିଲେ ଜାଭେଲିନ୍‌ ଥ୍ରୋ ତାରକା କିଶୋର ଜେନା। ତାଙ୍କୁ ଟ୍ରଫି ଓ ମାନପତ୍ର ସହ ୩ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ବିଶ୍ବକପ୍‌ ବିଜେତା ଦୃଷ୍ଟିବାଧିତ କ୍ରିକେଟର୍ ମହମ୍ମଦ ଜାଫର ଇକ୍‌ବାଲ୍‌ଙ୍କୁ ଶ୍ରେଷ୍ଠ ପାରାକ୍ରୀଡ଼ାବିତ୍‌‌, ହକି ଗୁରୁ ବିଜୟ ଲାକ୍ରାଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ମିଳିଥିଲା ବେଳେ କ୍ରୀଡ଼ା ପ୍ରୋତ୍ସାହନ ଲାଗି ‘ନାଲ୍‌କୋ’କୁ ପୁରସ୍କୃତ କରାଯାଇଛି। ଏହି ସମସ୍ତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଟ୍ରଫି ଓ ମାନପତ୍ର ଦିଆଯାଇଛି। ଏହି ଉତ୍ସବରେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାରରେ ସମ୍ମାନିତ ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ଜୟନ୍ତୀ ମଲ୍ଲିକ ଓ ତାଙ୍କ ୧୨ ବର୍ଷର ପୁଅ ରୁଦ୍ର ମଲ୍ଲିକ। ଉଭୟ ନିଜ ଜୀବନକୁ ବାଜି ଲଗାଇ ବ୍ରାହ୍ମଣୀ ନଦୀରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କର ଏହି ସାହସିକତା ପାଇଁ ୨ ଲକ୍ଷ ଟଙ୍କାର ଚେକ୍ ଓ ରୌପ୍ୟ ପଦକ ପ୍ରଦାନ କରାଯାଇଛି।

ଅଧିକ ପଢନ୍ତୁ