ମଙ୍ଗଳବାର ଓଡ଼ିଶା ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ଦେଇଥିବା ତଥ୍ୟରୁ ବାଘ ବିଲୁପ୍ତ ଆଶଙ୍କା ସୃଷ୍ଟି ହୋଇଛି।ଗତ ୧୦ ବର୍ଷରେ ରାଜ୍ୟରେ ମରିଛନ୍ତି ୫୫ଟି ବାଘ। ତା’ ଭିତରେ ଅଛନ୍ତି ୪୮ଟି କଲରାପତରିଆ ଓ ୭ଟି ମହାବଳ ବାଘ। ତେବେ ସବୁଠୁ ସାଙ୍ଘାତିକ ଘଟଣା ହେଉଛି ୨୩ ଟି ବାଘଙ୍କୁ କେବଳ ଶିକାରୀ ହତ୍ୟା କରିଛନ୍ତି। ୪ ଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜୀବନ ହରାଇଥିବା ବେଳେ ୨ ଟ୍ରେନ୍ ଦୁର୍ଘଟଣାରେ, ୩ ଟି ସଡକ ଦୁର୍ଘଟଣାରେ, ୬ ଟି ପାଣିରେ ବୁଡି ଏବଂ ପରସ୍ପର ମଧ୍ୟରେ ଲଢେଇ ଲାଗି ମୃତ୍ୟୁ ମୁଖରେ ପଡ଼ିଥିଲେ। ସେହିଭଳି ୫ ଟି ରୋଗରେ ଆକ୍ରାନ୍ତ ହୋଇ, ୫ ଟି ବୃଦ୍ଧାବସ୍ଥାରେ ମୃତ୍ୟୁ ବରଣ କରିଥିବା ବେଳେ ଅଜଣା କାରଣରୁ ୭ ଟି ମୃତ୍ୟୁ ବରଣ କରିଥିବା ସେ ସ୍ପଷ୍ଟ କରିଛନ୍ତି।ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ କହିଥିଲେ ଯେ ବର୍ତ୍ତମାନ ରାଜ୍ୟ ସ୍ତରୀୟ ବାଘ ଗଣନା ୨୦୨୪ ଅନୁଯାୟୀ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ୨୪ଟି, କେନ୍ଦୁଝର ଓ କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ, ପାରଳାଖେମୁଣ୍ଡିରେ ଗୋଟିଏ ଓ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ- ଏହିଭଳି ସର୍ବମୋଟ ୨୭ଟି ମହାବଳ ବାଘ ଗଣନା କରାଯାଇଛି। ଏହାଛଡ଼ା ଏହି ଗଣନା ସମୟରେ ଶିମିଳିପାଳରେ ୮ଟି ମହାବଳ ବାଘ ଶାବକ ଥିବାର ଠାବ କରାଯାଇଥିଲା।