ଓଡ଼ିଶା ଉପକୂଳରେ ଥିବା ପରୀକ୍ଷଣ କେନ୍ଦ୍ରରୁ ଭାରତ ଆଜି ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ ଭୂପୃଷ୍ଠରୁ ଆକାଶମାର୍ଗକୁ କ୍ଷେପଣାସ୍ତ୍ର (VL-SRSAM)ର ସଫଳ ପରୀକ୍ଷଣ କରିଛି। ସ୍ବଳ୍ପ ଦୂରଗାମୀ ମିସାଇଲରେ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଏହି ପରୀକ୍ଷଣ ପାଇଁ ୩ ନମ୍ବର ଲଞ୍ଚପ୍ୟାଡର ଅଢେଇ କିଲୋମିଟର ଦୂରତା ମଧ୍ୟରେ ୩୧୦୦ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ମିଳିତ ଭାବେ ଏହି ପରୀକ୍ଷଣ କରିଥିଲେ। ଏହି କ୍ଷେପଣାସ୍ତ୍ର ପରୀକ୍ଷଣରେ ସମସ୍ତ ଆବଶ୍ୟକ କାର୍ଯ୍ୟଦକ୍ଷତା ମାନଦଣ୍ଡ ପୂରଣ ହୋଇଥିବା ଜଣାପଡିଛି । ଭିଏଲ୍-ଏସ୍ଆର୍ଏସ୍ଏଏମ୍ ନାମକ ଏକ ଜାହାଜବାହୀ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ସମୁଦ୍ର-ସ୍କିମିଂ ଟାର୍ଗେଟ୍ ସମେତ ନିକଟବର୍ତ୍ତୀ ରେଞ୍ଜରେ ଥିବା ବିଭିନ୍ନ ଆକାଶମାର୍ଗରୁ ବିପଦକୁ ନିୟନ୍ତ୍ରଣ କରିବା ପାଇଁ ଡିଜାଇନ୍ କରାଯାଇଛି। ପରୀକ୍ଷଣ ପରେ ରାଡାରରୁ ମିଳିଥିବା ତଥ୍ୟକୁ ଡିଆରଡିଓର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି।
