ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ୱର ଆସୁଛନ୍ତି। ଏଥିପାଇଁ ରାଜଧାନୀରେ ବିପୁଳ ଜନସମାଗମ ହେବାର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସୋମବାର ଯାତାୟାତ କଟକଣା ଜାରି ହୋଇଛି। ପିଏମ୍ଙ୍କ କାରକେଡ୍ ଯେଉଁବାଟେ ଯିବ ସବୁଠି ବ୍ୟାରିକେଡ୍ ଲାଗିଛି, ପୋଲିସ୍ ସଜାଗ। ମଙ୍ଗଳବାର ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା ଜାରି ହୋଇଛି।
ଏ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହୁଥିବାରୁ ଓମଫେଡ୍ ଛକ-ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାର ରାସ୍ତାରେ ଯା-ଆସ କରିବା ପାଇଁ ପୋଲିସ୍ ସୂଚନା ଜାରି କରିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୮୧ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ ବରିଷ୍ଠ ପୋଲିସ ଅଧିକାରୀ ଏଥିରେ ସାମିଲ ହେବେ । ବ୍ୟାପକ ମହିଳା ପୁଲିସ କର୍ମଚାରୀଙ୍କ ସହ ସାଦା ପୋଷାକଧାରୀ ପୁଲିସ୍ ବି ମୁତୟନ ହେବେ।