‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ଙ୍କ ଲୋକଙ୍କ ଅଭିଯୋଗ ଶୁଣିବାର ଧାରା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜୀକୃତ ହୋଇଥିବା ଏକ ହଜାର ଅଭିଯୋଗକାରୀଙ୍କ ଠାରୁ ସେମାନଙ୍କ ସମସ୍ୟା ଶୁଣିଥିଲେ।ଏହାବ୍ୟତୀତ ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିନାହାନ୍ତି, ସେମାନଙ୍କ ପାଇଁ ୩ଟି ଅଣପଞ୍ଜିକୃତ କେନ୍ଦ୍ର କରାଯାଇଛି। ସେଠାରେ ପଞ୍ଜିକରଣ ପରେ ସେମାନଙ୍କୁ ଏସଏମଏସ ଯିବ। ଯଦି ଏସଏମଏସ ନଯିବ, ତାହେଲେ ପୁଣିଥରେ ଅନଲାଇନରେ ପଞ୍ଜୀକରଣ କରି ଅଭିଯୋଗ ପ୍ରକୋଷ୍ଠକୁ ଆସିପାରିବେ।ଜୁଲାଇ ୧ ତରିଖରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ଚତୁର୍ଥ ଦିନରେ ପହଞ୍ଚିଲା। ମୁଖ୍ୟମନ୍ତ୍ରୀଙ୍କ ସହିତ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ, ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣୁଥିଲେ। ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ।