ପ୍ରଥମ ଥର ରାଜ୍ୟରେ ବିରୋଧୀ ଦଳ ଭୁମିକା ନିର୍ବାହ କରୁଥିବା ବିଜୁ ଜନତା ଦଳ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବାରେ ଲାଗି ପଡ଼ିଛି। ଏହି କ୍ରମରେ ବିଜେଡି ୩ ନୂଆ କମିଟି ଗଠନ କରିଛି। ଉପଦେଷ୍ଟା କମିଟିରେ ୧୭ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ଵ ଦିଆଯାଇଛି।ସେହିଭଳି ମେମ୍ବରଶିପ୍ ଡ୍ରାଇଭ କମିଟିରେ ୨୨ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ। ଯେଉଁମାନେ ଦଳର ସଦସ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିବେ। ଏହି କମିଟିରେ ଅନେକ ପୁରୁଖାଙ୍କ ସହ ନୂଆ ନେତାଙ୍କୁ ମଧ୍ୟ ସୁଯୋଗ ମିଳିଛି। ଏହାବାଦ୍ କାର୍ୟ୍ୟକ୍ରମ କମିଟିରେ ୨୧ ଜଣ ନେତାଙ୍କୁ ଦାୟିତ୍ୱ ମିଳିଛି।୧୭ ଜଣିଆ ପରାମର୍ଶଦାତା କମିଟିରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଆବାହକ ଅଛନ୍ତି। ସଦସ୍ୟ ଭାବେ ଉଷା ଦେବୀ, ପ୍ରଫୁଲ କୁମାର ମଲ୍ଲିକ, ଚନ୍ଦ୍ରଶେଖର ସାହୁ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ପ୍ରପୁଲ୍ଲ ସାମଲ, ଅଶୋକ ଚନ୍ଦ୍ର ପଣ୍ଡା, ପଦ୍ମନାଭ ବେହେରା, ବଦ୍ରି ନାରାୟଣ ପାତ୍ର, ମଙ୍ଗଳା କିସାନ, ଭୂପିନ୍ଦର ସିଂହ, ରବିନାରାୟଣ ନନ୍ଦ, ମହମ୍ମଦ ଆୟୁବ ଖାଁ, ସରୋଜିନୀ ହେମ୍ବ୍ରମ, ଶଶିଭୂଷଣ ବେହେରା, ରଜନୀକାନ୍ତ ସିଂ, ଗଣେଶ୍ଵର ବେହେରା। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳର ପ୍ରତ୍ୟେକ କମିଟିରେ ବବି ଓ ମାନସ ନିଜେ ରହିବା ସହ ତାଙ୍କର ଖାସ୍ ଅନୁଗତମାନଙ୍କୁ ସାମିଲ କରୁଥିଲେ । ତେବେ ଦଳର ଜିଲ୍ଲାସ୍ତରରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ନେତାମାନଙ୍କ ଭିତରେ ବବି ଓ ମାନସଙ୍କୁ ନେଇ ରହିଥିବା ଆକ୍ରୋଶକୁ ଦେଖି ଉଭୟଙ୍କୁ କୌଣସି କମିଟିରେ ରଖାଯାଇନଥିବା ଜଣାପଡ଼ିଛି । ପୂର୍ବରୁ ଅଗଷ୍ଟ ୫ତାରିଖରେ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ଜଣିଆ ସମନ୍ୱୟ କମିଟିରେ ମଧ୍ୟ ବବି ଓ ମାନସଙ୍କୁ ସ୍ଥାନ ମିଳିନଥିଲା ।