ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛି ଓଡ଼ିଶାର ମାଣିଆବନ୍ଧ ଗାଁ। ବୟନଶିଳ୍ପୀ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଟକ ଜିଲ୍ଲାର ମାଣିଆବନ୍ଧ ଗାଁକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ପୁରସ୍କୃତ କରାଯାଇଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିନିଧି ଭାବେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦେଶକ ବିଶ୍ୱଜିତ୍ ରାଉତରାୟ, ପର୍ଯ୍ୟଟନ ସହକାରୀ ନିର୍ଦେଶକ ଅଞ୍ଜନ ବାରିକ ଏବଂ ମାଣିଆବନ୍ଧ ଗ୍ରାମରୁ ମନୋନୀତ ଜୀବନକୃଷ୍ଣ ମହାପାତ୍ର ଓ ଟୁଲୁ ପ୍ରଧାନ ଏହି ସମ୍ମାନ ଗ୍ରହଣ କରିଛନ୍ତି। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏହି ସମ୍ମାନଜନକ ପୁରସ୍କାର ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ Xରେ ମାଣିଆବନ୍ଧ ଗ୍ରାମବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରେ ହସ୍ତଶିଳ୍ପ ମଧ୍ୟରେ ବୟନଶିଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। କଟକ ଜିଲ୍ଲାର ମାଣିଆବନ୍ଧ ଶାଢ଼ି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ହସ୍ତଶିଳ୍ପ ବର୍ଗରେ ମାଣିଆବନ୍ଧ ଗ୍ରାମ ‘ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ’ର ମାନ୍ୟତା ପାଇଥିବାରୁ ଗ୍ରାମବାସୀଙ୍କୁ ଶୁଭେଚ୍ଛା ଜଣାଉଛି| ତେବେ ବୟନ ପର୍ଯ୍ୟଟନ ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ପ୍ରତିବଦ୍ଧତା ଏବଂ ପର୍ଯ୍ୟଟନ ମାଧ୍ୟମରେ ସ୍ଥାୟୀ ଗ୍ରାମୀଣ ବିକାଶ ପାଇଁ ମାଣିଆବନ୍ଧ ଏକ କ୍ଷେତ୍ର ସୃଷ୍ଟି କରି ପାରିଛି। ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ପର୍ଯ୍ୟଟକ ଓ ପରିଦର୍ଶକଙ୍କୁ ମାଣିଆବନ୍ଧର କଳା ଓ ସଂସ୍କୃତି ସହିତ ହସ୍ତତନ୍ତ ବସ୍ତ୍ର ଏବଂ କୁଶଳୀ ବୁଣାକାରଙ୍କ ହସ୍ତ କାରିଗରୀ ବିଦ୍ୟା ବେଶ ଆକୃଷ୍ଟ କରିଚାଲିଛି।