ରାଜ୍ୟରେ ଜାରି ରହିବ ଅସହ୍ୟ ତାତି । ଆସନ୍ତା ୨୯ କିମ୍ବା ୩୦ ତାରିଖରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେଇପାରେ ।ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳି ଏବଂ ଉଷ୍ମ ରାତି ନେଇ ଜନସାଧାରଣଙ୍କୁ ସତର୍କ କରାଯାଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ବିଭାଗକୁ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ କୁହାଯାଇଛି ।ଅନ୍ୟପଟେ ଜୁନ ୫ ତାରିଖ ପୂର୍ବରୁ ମୌସୁମୀ ଆସିବାର କୌଣସି ସମ୍ଭାବନା ନଥିବାରୁ ଆହୁରି କିଛି ଦିନ ଯାଏଁ ଲୋକଙ୍କୁ ତାତି ସହିବାକୁ ପଡ଼ିବ । ଗତକାଲି ଝାରସୁଗୁଡ଼ାରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୬ ଡିଗ୍ରି ରେକର୍ଡ କରାଯାଇଛି ।ପାଣିପାଗ ବିଭାଗ ସତର୍କ କରାଇଛି, ଗୁରୁବାରଠାରୁ ୨୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଓ ବଲାଙ୍ଗୀରରେ ଭୀଷଣ ଗ୍ରୀଷ୍ମ ପ୍ରବାହ (ସିଭିୟର ହିଟ୍ ୱେଭ) ସ୍ଥିତି ରହିପାରେ । ଏହି ଦୁଇ ସହର ସହ ସୁନ୍ଦରଗଡ଼ରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିପାରେ । ଏହାସହ ଭଦ୍ରକ, ଯାଜପୁର, ନୟାଗଡ଼, ଝାରସୁଗୁଡ଼ା, ଅନୁଗୁଳ, ସୋନପୁର, ବୌଦ୍ଧରେ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ୍) କଲବଲ କରିପାରେ ।
ଅନ୍ୟପଟେ ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରେ ଗରମ ସାଙ୍ଗକୁ ଗୁଳୁଗୁଳି ଛଟପଟ କରିବା ଆଶଙ୍କା ରହିଛି ।
