ଶୁଖୁଆ ପ୍ରସ୍ତୁତିରେ କ୍ଷତିକାରକ ଫର୍ମାଲିନ ବ୍ୟବହାର କରାଯାଉଛି। ଏହି ଶୁଖୁଆ ଆଣି ବେପାରୀମାନେ ସ୍ଥାନୀୟ ହାଟବଜାରରେ ବିକ୍ରି କରୁଛନ୍ତି। ଏହାକୁ ଲୋକେ କିଣିନେଉଛନ୍ତି। ତେବେ ଏହି ଶୁଖୁଆ ଗ୍ରାହକଙ୍କ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ପୂର୍ବରୁ ପ୍ରାକୃତିକ ଉପାୟରେ ଶୁଖୁଆ ଖଳାରେ ଶୁଖୁଆ ପ୍ରସ୍ତୁତ ହେଉଥିଲା। ଏଥିପାଇଁ କିଛି ଦିନ ସମୟ ଲାଗୁଥିଲା। ଦିନ ଦିନ ଧରି ଖରାରେ ଶୁଖାଇବାକୁ ପଡୁଥିଲା। ହେଲେ ଏବେ ଶୁଖୁଆର ପ୍ରସ୍ତୁତ ତରିକା ବଦଳିଯାଇଛି। ରାସାୟନିକ ଉପାୟରେ ଶୁଖୁଆ ପ୍ରସ୍ତୁତ କରାଯାଉଛି। ଶୁଖୁଆକୁ ଶୁଖେଇବା ଓ ସତେଜ ରଖିବା ପାଇଁ ଫର୍ମାଲିନ ନାମକ କେମିକାଲ ବ୍ୟବହାର କରାଯାଉଛି। ମାଛ ଧରା ଯିବା ପରେ କଞ୍ଚାମାଛକୁ କାଟି ଫର୍ମାଲିନ ଦିଆଯାଉଛି। ସମୁଦ୍ର ମଝିରେ ନ ହେଲେ ଶୁଖୁଆ ଖଳାରେ ଏହି କେମିକାଲ ବ୍ୟବହାର କରାଯାଉଛି। ଏହା ମଣିଷର ଫୁସ୍ଫୁସ୍, ଖାଦ୍ୟନଳୀ, ପାକସ୍ଥଳୀ ଏପରିକି କିଡନୀ ଉପରେ ପ୍ରଭାବ ପକାଇଥାଏ।