ଭଦ୍ରକ ଜିଲ୍ଲା ଧାମନଗରରେ ପୁଲିସ ଡିଜି ୱାଇ.ବି ଖୁରାନିଆ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଧାମନଗର ଥାନାରେ ଆଲୋଚନା କରିଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିବା ପରେ ସୋଶାଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି। ଅଯଥା କମେଣ୍ଟ କରନ୍ତୁ ନାହିଁ, ସାଧାରଣ ଲୋକ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୁଲିସ ଉଦ୍ୟମ ଜାରି ରଖିଛି। ସ୍ଥିତିରେ ନିଶ୍ଚିତ ସୁଧାର ଆସିବ ବୋଲି ଡିଜିପି କହିଛନ୍ତି। ଘଟଣାକୁ ୪ଦିନ ପରେ ବି ଚାପା ଉତ୍ତେଜନା ଥିବାରୁ ୧୬୩ଧାରା ବଳବତ୍ତର ରହିଛି। ଘଟଣାରେ ଏଯାବତ ୨୭ଜଣଙ୍କୁ ଗିରଫ କରିଛି ପୁଲିସ। ଭଦ୍ରକ ରୁ ୧୦ ଜଣ ଏବଂ ଧାମନଗର ଥାନାରୁ ୧୭ଜଣଙ୍କୁ ଗିରଫ କରାଯାଇଛି। ପୂର୍ବଭଳି ପୁରୁଣା ବଜାର ଓ ଧାମନଗରର ବିଜ୍ଞାପିତ ଅଞ୍ଚଳ ଏବଂ ଦୋବଲ ଏହାର ଆଖପାଖ ଅଞ୍ଚଳରେ ବିଏନଏସ ଧାରା ଜାରି ରହିଛି।
ଏସବୁ ଅଞ୍ଚଳରେ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଭଦ୍ରକ ରେ ୧୨ ପ୍ଲାଟନ ପୁଲିସ ଫୋର୍ସ ଏବଂ ଗୋଟିଏ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ଧାମନଗରରେ ୬ ପ୍ଲାଟୁନ ପୁଲିସ୍ ଫୋର୍ସ ଓ ଗୋଟିଏ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ମୁତୟନ ଅଛନ୍ତି।