ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ନବମୀ ପୂଜା

ଆଜି ମହାମାୟାଙ୍କ ମହାନବମୀ । ରାଜ୍ୟର ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଛି । ନବମୀରେ କୁମାରୀ ପୂଜା କରିବାର ବିଧି ରହିଛି । ତେଣୁ କିଛି ମଣ୍ଡପରେ କୁମାରୀ ପୂଜା, ଗୋ-ପୂଜନ କରାଯିବ । ମହାମାୟାଙ୍କ ପୂଜା ପାଇଁ ସବୁଠି ଉତ୍ସବର ପରିବେଶ। ମଣ୍ଡପରେ ମହାନବମୀରେ ମା’ଙ୍କ ଦର୍ଶନ କରିବା ପାଇଁ ମଣ୍ଡପ ଗୁଡ଼ିକରେ ସକାଳୁ ଲୋକଙ୍କ ଗହଳି ଜମିବା ଆରମ୍ଭ କଲାଣି । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି। ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ । ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ବିଭିନ୍ନ ପୂଜା ମଣ୍ଡପ । ଅଧିକ ସୁନ୍ଦର ହୋଇଛି ଏଲଇଡିରେ କାର୍ଟୁନ ଓ ମୂର୍ତ୍ତି। ଡ୍ରାଗନ୍, ପ୍ରଜାପତି, ମାଛ ଓ ହଂସ ଭଳି ବିଭିନ୍ନ ଲାଇଟ୍ କାର୍ଟୁନରେ ଚଳିତବର୍ଷ ଲାଇଟ୍ ଗେଟ୍ ତିଆରି କରିଛନ୍ତି ପୂଜା କମିଟି କର୍ମକର୍ତ୍ତା। ଚହଟା ଛକ, ଖାନନଗର, ରାଣୀହାଟ, କଲେଜ ଛକ, ଯୋବ୍ରା, ବଜ୍ରକବାଟି ଆଦି ସ୍ଥାନରେ ଆକର୍ଷଣୀୟ ଲାଇଟ ଗେଟ୍ ନିର୍ମାଣ ହୋଇଛି। ଆକର୍ଷଣୀୟ ତୋରଣ ସାଂଗକୁ ସୁନା ଚାନ୍ଦି ମେଢ ଦେଖିବାକୁ ଜମୁଛି ଦର୍ଶକଙ୍କ ଭିଡ଼।ସେହିଭଳି ବଙ୍ଗୀୟ ପରମ୍ପରା ଅନୁସାରେ କେତେକ ମଣ୍ଡପରେ ସିନ୍ଦୂର ଖେଳ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି । ମା’ଙ୍କୁ ଝିଅ ଭାବେ ପୂଜା କରିବା ସହ ବଙ୍ଗୀୟ ଢାଞ୍ଚାରେ ସିନ୍ଦୂର ଖେଳ କରାଯାଇଥାଏ । କେତେକ ମଣ୍ଡପରେ ମାଆଙ୍କ ପାଖରେ ଲାଗିହେବ ମାଛ ଭୋଗ । ସଧବା ମହିଳା ବେଶରେ ମାତା ଦୁର୍ଗାକୁ ଝିଅ ରୂପେ ପାଇଲା ପରେ ଆଜି ଘରୁ ବିଦା କରାଯିବାର ପରମ୍ପରା ରହିଛି । ସେପଟେ ପୀଠରେ ଚାଲିଛି ଦଶମୀ ପୂଜା । ଆଜି ମହୀଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେବେ ମା’ କଟକ ଚଣ୍ଡୀ ।

ଅଧିକ ପଢନ୍ତୁ

Odisha Darpan Digital