ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ସହ ଭିଡିଓ ପ୍ରଘଟ ଅଭିଯୋଗ

କେନ୍ଦୁଝର ଜିଲ୍ଲାର ଅମୀୟ ଚକ୍ର ରାଜଧାନୀ ଭୁବନେଶ୍ୱରରେ ଏକ କମ୍ପାନୀରେ ଆକାଉଣ୍ଟାଣ୍ଟ୍‌ ଭାବେ ଚାକିରି କରୁଛନ୍ତି। ସେଠାରେ ଚାକିରି କରୁଥିଲେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଲିମା(ଛଦ୍ମନାମ)। ପ୍ରଥମ ଦେଖାରେ ଲିମାଙ୍କୁ ମନ ଦେଇ ବସିଥିଲେ ଅମୀୟ। ଆଉ ପ୍ରପୋଜ ମାରିଥିଲେ। ହେଲେ ଲିମା ମନା କରିଥିଲେ। ଉଭୟଙ୍କ ଜାତି ଭିନ୍ନ ହୋଇଥିବାରୁ ଅମୀୟଙ୍କ ପ୍ରପୋଜକୁ ଅସ୍ୱୀକାର କରିଥିଲେ ଲିମା।ପ୍ରେମରେ ଜାତିପ୍ରଥା ପ୍ରତିବନ୍ଧକ ସାଜିବ ନାହିଁ ବୋଲି କଥା ଦେଇଥିଲେ। ପରବର୍ତ୍ତୀ ସମୟରେ ଉଭୟ ପରସ୍ପରକୁ ଭଲ ପାଇଥିଲେ। ବିବାହ କରିବା ପାଇଁ ପରସ୍ପରକୁ କଥା ଦେଇଥିଲେ। ଯେଉଁଥିପାଇଁ ଅମୀୟଙ୍କ ପାଦ ତଳେ ନିଜକୁ ସମର୍ପି ଦେଇଥିଲେ ଲିମା। ଉଭୟ ମିଳାମିଶା ହେଉଥିଲେ। ଏହାର ସୁଯୋଗ ନେଇ ଅମୀୟ ଥରେ ଲିମାଙ୍କୁ ଏକ ହୋଟେଲ୍‌ ଡାକି ନେଇଯାଇଥିଲେ। ଲିମାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲେ। ହେଲେ ଲିମା ପ୍ରଥମେ ରାଜି ହୋଇନଥିଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ଅମୀୟ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।

ଶାରୀରିକ ସମ୍ପର୍କ ରଖିଲା ବେଳେ ଲିମାଙ୍କ ଅଜାଣତରେ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟର ଭିଡିଓ ରେକଡିଂ କରିଥିଲେ। ତା’ପରେ ଦୁଇ ପ୍ରେମପକ୍ଷୀ ନିଜ କାର୍ଯ୍ୟରେ ବ୍ୟସ୍ତ ରହିଥିଲେ। ନିଜ ପ୍ରେମିକଙ୍କଠାରୁ ପ୍ରତାରଣା ପାଇବା ପରେ ଲିମାଙ୍କ ହାଲତ ଶୁଖି ଯାଇଥିଲା। ସେ ପ୍ରଥମେ ପ୍ରତିବାଦ କରିଥିଲେ। ଭଲ ପାଇବା ପୂର୍ବରୁ କହିଥିବା ସବୁ କଥା ଅମୀୟଙ୍କୁ ମନେ ପକାଇ ଦେଇଥିଲେ ଲିମା। ତା’ପରେ ପ୍ରେମିକ ପ୍ରବରଙ୍କଠାରୁ ଦୂରେଇ ଯାଇଥିଲେ। ଭଲ ପାଇବା ଜୀବନର ଗୋଟିଏ ବଡ଼ ଭୁଲ ଥିଲା ବୋଲି ଭାବି ନେଇଥିଲେ ଲିମା। ଜୀବନର ପ୍ରଥମ ପ୍ରେମକୁ ଭୁଲି ପାରୁନଥିବା ବେଳେ ହଠାତ୍‌ ସାମ୍ନାକୁ ଆସିଥିଲା ଲିମାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ। ଯେଉଁ ଭିଡିଓ ପ୍ରେମିକ ଅମୀୟ ଶୁଟ୍‌ କରିଥିଲେ। ସେହି ଭିଡିଓ ଭାଇରାଲ୍‌ ହେଉଥିବା ଦେଖି ଗତ ୧୦ ତାରିଖରେ ପୀଡ଼ିତା ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ଲିଙ୍ଗରାଜ ଥାନା ପୁଲିସ୍‌ ଏଫଆଇଆର୍‌ ଗ୍ରହଣ କରିନଥିଲେ। କଟକ ବାଙ୍କୀ ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।ଏହାପରେ ପୀଡ଼ିତା ବାଙ୍କୀ ଥାନାରେ ମାମଲା ରୁଜୁ କରିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ନେଇ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ଓ ସମାଜସେବୀ ଲିଟୁ ଦାସ।

ଅଧିକ ପଢନ୍ତୁ