ତାମିଲନାଡ଼ୁରେ ସାମୁଦ୍ରିକ ଝଡ଼ ଫେଙ୍ଗଲ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ରାଜ୍ୟର କେତେକ ସ୍ଥାନରେ ୩୬ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ରେକର୍ଡ କରାଯାଇଛି, ବର୍ଷାର ପରିମାଣ ଏତେ ରହିଥିଲା ଯେ ବନ୍ୟାର ଭୟ ଦେଖାଯାଉଛି । ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ୫୬ ସେଣ୍ଟିମିଟର ପର୍ୟ୍ୟନ୍ତ ବର୍ଷା ହୋଇଛି । ଅନ୍ୟପଟେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଆସନ୍ତା ୫ ତାରିଖରେ ସୁମାତ୍ରା ପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ । ଏହା ଶ୍ରୀଲଙ୍କା ବା ଦକ୍ଷିଣ ତାମିଲନାଡୁକୁ ମୁହାଁଇବ ଓ ବର୍ଷା ହେବ । କିନ୍ତୁ ରାଜ୍ୟ ଉପରେ ଏହାର ସିଧା ପ୍ରଭାବ ରହିବନି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।