ଓଏଏସ୍‌ ଅଫିସରଙ୍କ ଲାଗି ଚେତାବନୀ

ଓଏଏସ୍‌ ଅଫିସରଙ୍କ ଲାଗି ବାହାରୁଥିବା ବଦଳି ନିର୍ଦ୍ଦେଶକୁ ଅଧିକାଂଶ ପାଳନ କରୁନାହାନ୍ତି, ଏନେଇ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଏଏସ୍‌ ଅଫିସରଙ୍କୁ କଡ଼ା ନିର୍ଦ୍ଦେଶ ଶୁଣାଇ ଦିଆଯାଇଛି। କେତେଜଣ ଅଫିସର ବଦଳି ନିୟମ ପାଳନ କରି ନ ଥିବାରୁ ସେମାନଙ୍କୁ ଆସନ୍ତା ୧୦ ତାରିଖ ସୁଦ୍ଧା ବଦଳି ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି। ନଚେତ୍‌ ୧୧ ତାରିଖରେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବ ବୋଲି କୁହାଯାଇଛି।ସୂଚନା ଅନୁସାରେ ଅଗଷ୍ଟ ୧୭ ଏବଂ ସେପ୍ଟେମ୍ବର ୧୦ରେ ବଦଳି ନିର୍ଦ୍ଦେଶ ବାହାରିଥିଲେ ବି ଆଜି ଯାଏଁ ନିର୍ଦ୍ଦେଶନାମାକୁ ମାନୁ ନାହାନ୍ତି ଓଏଏସ୍ ଅଧିକାରୀ। ଏପର୍ଯ୍ୟନ୍ତ ଏହି ଅଧିକାରୀମାନେ ନୂଆ କାର୍ଯ୍ୟରେ ଯୋଗ ଦେଇନାହାନ୍ତି।

ତେଣୁ ଏଭଳି ଅମାନିଆ ଅଧିକାରୀଙ୍କୁ ସାବାଡ଼ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ବଦଳି ନିର୍ଦ୍ଦେଶ ପରେ ନୂଆ କାର୍ଯ୍ୟରେ ଯୋଗ ନଦେଲେ ସିଧା ସଳଖ ଦରମା ବନ୍ଦ କରିଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ।। ଯେଉଁ ଓଏଏସ୍‌ ପାଇଥିବା ନୂଆ ଅଫିସରମାନେ ଏବେ ଟ୍ରେନିଂରେ ଅଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣ ଅଧିକାରୀ ସସ୍‌ପେଣ୍ଡ ହେବା ଅଫିସରଙ୍କ ସ୍ଥାନରେ ନିଯୁକ୍ତି ପାଇବେ ବୋଲି ବିଭାଗ ପକ୍ଷରୁ ସୂଚାଇ ଦିଆଯାଇଛି।

ଅଧିକ ପଢନ୍ତୁ