ସାଧାରଣତଃ ରାତ୍ରି ସମୟରେ ଏନଏଚରେ ବସ ଓ ଟ୍ରକ ଯାଉଥିବାର ଅନେକ ସମୟରେ ଦୃଷ୍ଟିଗୋଚର ହୋଇଥାଏ । ବସ ଟ୍ରକ ଡ୍ରାଇଭରମାନେ ନିଜର ଭାରି ଯାନରେ ସେମାନେ ଦୂରସ୍ଥାନକୁ ଯାତ୍ରା କରନ୍ତି ।ଯାତ୍ରାସମୟରେ ଅନେକ ଏଭଳି ଘଟଣା ସାମ୍ନାକୁ ଆସିଥାଏ, ଯାହା ସମସ୍ତଙ୍କୁ ଦୁଃଖିତ ମଧ୍ଯ କରେ । କାରଣ ଦୈନନ୍ଦିନ ଜୀବନରେ ଶୁଣିବାକୁ ମିଳେ ଯେ ବସ ବା ଟ୍ରକ ଡ୍ରାଇଭରଙ୍କ ନିଦ ଆସିବା କାରଣରୁ ଦୁର୍ଘଟଣାରେ ଏତେ ଜଣ ପ୍ରାଣ ହରାଇଛନ୍ତି । ଅକାଳରେ ଅନେକ ଜୀବନ ଚାଲିଯାଇଛି । ତେବେ ଶୀତ ଋତୁରେ ବିଳମ୍ବିତ ରାତି ଓ ଭୋରରେ ଘଟୁଥିବା ଦୁର୍ଘଟଣା ହ୍ରାସ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ(STA)ର ଅଭିନବ ଉପାୟ। ରାଜପଥ କଡ଼ରେ ମାଗଣା ଚା’ ବଣ୍ଟନ କରାଯାଉଛି। ରାତି ତିନିରୁ ଭୋର ୬ ଯାଏଁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ରାଜପଥ କଡ଼ରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଏଥିରେ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ସାମିଲ ହୋଇ ସହଯୋଗ କରୁଛନ୍ତି।
ରାସ୍ତାକଡ଼ ଢାବା, ଟୋଲ ଗେଟ୍ ଭଳି ସ୍ଥାନ ଚିହ୍ନଟ ହୋଇଛି। ଦୂରରୁ ଆସୁଥିବା ବସ୍, ଟ୍ରକ୍, ଟ୍ୟାକ୍ସି ଆଦି ଡ୍ରାଇଭରଙ୍କୁ ମାଗଣା ଚା’ ଦିଆଯାଉଛି। ଆରଟିଓ କାର୍ଯ୍ୟାଳୟ ଅଧିକାରୀ, କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ସଚେତନତା ସୃଷ୍ଟି କରୁଛନ୍ତି। ଡିସେମ୍ବର ୩୧ ଯାଏ ନିୟମିତ ଏଭଳି ପ୍ରୟାସ ଜାରି ରଖିବାକୁ ପରିବହନ ଆୟୁକ୍ତଙ୍କ ନିର୍ଦ୍ଦେଶରେ ସମସ୍ତ ଆରଟିଓଙ୍କୁ ଯୁଗ୍ମ ପରିବହନ ଆୟୁକ୍ତ ଚିଠି ଲେଖିଛନ୍ତି।