ଭୁବନେଶ୍ବର ମୈତ୍ରୀ ବିହାର ଅଞ୍ଚଳରେ ଅଭାବନୀୟ ଘଟଣା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥାନାରେ ପହଞ୍ଚିଲେ ପୁରୁଷ ବନ୍ଧୁ । ଥାନାରେ ଅଭିଯୋଗ କରିଛନ୍ତି, ତାଙ୍କ ପ୍ରେମିକାଙ୍କୁ ଅପହରଣ କରାଯାଇଛି । ପୋଲିସ ଆଗରେ ପୂରା କାହାଣୀ କହିଛନ୍ତି ପୁରୁଷ ବନ୍ଧୁ । ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ବେଳେ ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ଲୁମ୍ବିନୀ ବିହାର ଅଞ୍ଚଳରେ ଯାଉଥିଲେ। ଯୁବକଙ୍କ ଘର ନିଳାଦ୍ରି ବିହାର ଅଞ୍ଚଳରେ ହୋଇଥିବା ବେଳେ ଯୁବତୀଜଣକ ବି ଆଖପାଖ ଅଞ୍ଚଳରେ ରହୁଥିଲେ।
ଉକ୍ତ ସମୟରେ ୪ ଯୁବକ ଏକ କାର୍ରେ ଆସି ଉଭୟଙ୍କୁ ଅଟକାଇଥିଲେ। ଏହାକୁ ଯୁବତୀଙ୍କ ପୁରୁଷ ବନ୍ଧୁ ବାରଣ କରିବାରୁ ସେମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଯୁବତୀଙ୍କୁ ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।ପୁରୁଷ ବନ୍ଧୁଙ୍କ ଅଭିଯୋଗ ପରେ ମୈତ୍ରୀ ବିହାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରାୟ ୧୦ ଘଣ୍ଟା ପରେ ବି ପୁଲିସ୍ ଉକ୍ତ ଯୁବତୀଙ୍କ ପତ୍ତା ପାଇପାରୁନି। କିଏ ଓ କାହିଁକି ଏପରି ଅପରଣ କରିଛି, ଯୁବତୀଜଣକ ଏବେ କେଉଁଠି ଓ କିପରି ଅବସ୍ଥାରେ ଅଛନ୍ତି ତାହାର କିଛି ସନ୍ଧାନ ମିଳିପାରିନି।