ଚନ୍ଦ୍ରଭାଗାରେ ସାଧୂସନ୍ଥଙ୍କ ସହ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଆଜି ପବିତ୍ର ମାଘ ବୁଡ଼ । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ବୁଡ଼ ପକାଇଲେ ରାଜ୍ୟ ଓ ରାଜ୍ୟ ବାହାରର ଲକ୍ଷାଧିକ ଶ୍ରଦ୍ଧାଳୁ । ମାଘ ସପ୍ତମୀ ଉପଲକ୍ଷେ, ବିଳମ୍ବିତ ରାତ୍ରିରେ କୋଣାର୍କ ଠାରେପୂଜିତ ଶ୍ରୀତ୍ରିବେଣୀଶ୍ୱର, ଶ୍ରୀ ଐଶାନେଶ୍ୱର ଏବଂ ଶ୍ରୀ ଦକ୍ଷିନେଶ୍ୱର ମହାଦେବ, ତିନୋଟି ବିମାନରେ ବିଜେ କରି ଚନ୍ଦ୍ରଭାଗା ତୀର୍ଥସ୍ଥଳରେ ପହଞ୍ଚିଥିଲେ ।ଏହି ଦିନ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ବିଶ୍ଵାସ ରହିଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶ୍ରୀଶ୍ରୀ ତ୍ରୀବେଣୀଶ୍ବର, ଇଷାଣେଶ୍ବର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ସ୍ନାନ ପରେ ଅପେକ୍ଷାରତ ଶ୍ରଦ୍ଧାଳୁ ତୀର୍ଥ ଜଳରେ ବୁଡ଼ ପକାଇଥିଲେ।

ସୋମବାର ଷଷ୍ଠୀ ରାତି ୯ଟା୪୫ରେ ତିନି ଠାକୁର ନିଜ ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିଥିଲେ। ତିନିଠାକୁର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା ସହ କୋଣାର୍କ ଏନଏସି ମଣ୍ଡପ, ତହସିଲ କାର୍ଯ୍ୟାଳୟ,ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ପୂଜାର୍ଚ୍ଚନା କରଯାଇଥିଲା। ରାତି ୪ଟା୩୫ରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଁଚିଥିଲେ ତିନି ଠାକୁର। ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମ ସମ୍ପାଦନ ଶେଷ ପରେ ସପ୍ତମୀ ତୀଥିରେ ପବିତ୍ର ତୀର୍ଥ ଜଳରେ ତିନିଠାକୁର ସ୍ନାନ କରିଥିଲେ। ଚଳିତ ବର୍ଷ ବୁଡ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚାରିଜଣ ଆଡିସିନାଲ ଏସ୍‌ପିଙ୍କ ସମେତ ୩୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ପୋଲିସ ପକ୍ଷରୁ ୪ଜଣ ଆଡିସିନାଲ ଏସ୍‌ପିଙ୍କ ସହ ୧୨ଜଣ DSP, ୧୨୨ ଜଣ ASI, ୩୩ ପ୍ଲାଟୁନ ଫୋର୍ସ ଏବଂ ୨୦ଜଣ ଲାଇଫ ଗାର୍ଡ ମୁତୟନ ହୋଇଛନ୍ତି । ପୁରୀ ଏସ୍‌ପି ବିନୀତ ଅଗ୍ରୱାଲ ପୋଲିସର ନିୟମ ମାନି ଚନ୍ଦ୍ରଭାଗା ବୁଡରେ ସାମିଲ ହେବାକୁ ଅପିଲ୍ କରିଛନ୍ତି ।

ଅଧିକ ପଢନ୍ତୁ