ମହାଶିବରାତ୍ରୀ ନେଇ ଏକ ପ୍ରସ୍ତୁତି ବୈଠକ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଦୀପ ଉଠିବ। ଫେବୃଆରୀ ୨୬ରେ ମହାଶିବରାତ୍ରୀ ପଡୁଛି। ବୈଠକରେ କିଭଳି ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ସମ୍ପନ୍ନ ହେବା, ଠିକ୍ ସମୟରେ ମହାଦୀପ ଉଠିବା ଉପରେ ଗୁରୁତ୍ବ ଦେବା ସହ ଟ୍ରାଫିକ୍ ସୁପରିଚାଳନା, ପାଣି ଓ ବିଦ୍ୟୁତ୍ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ଆଦି ବିଷୟ ଉପରେ ବ୍ୟାପକ ଆଲୋଚନା ହୋଇଥିଲା ।
ପୂର୍ବରୁ ଖୁବ୍ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆସିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ । ନୂଆ ଆଇନ ପାଇଁ କେନ୍ଦ୍ର ସରକାର ଯେଉଁ ସ୍ପଷ୍ଟୀକରଣ ମାଗିଥିଲେ, ତାହା ପ୍ରସ୍ତୁତ ହୋଇ ସାରିଛି । ଖୁବ୍ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆସିବ । ୫୦ବର୍ଷ ଧରି ମନ୍ଦିର କାର୍ଯ୍ୟାଳୟରେ ଠାକୁରଙ୍କ ନୀତିକାନ୍ତି ପାଇଁ କୋହିନୂର ପାଞ୍ଜି ଚାଲିଥିବା ବେଳେ ଚଳିତ ବର୍ଷ ଅସଲି ଖଡିରତ୍ନ ପଞ୍ଜିକା ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି। ଗତ ମକର ସଂକ୍ରାନ୍ତିରେ ଠାକୁରଙ୍କ ନୀତି ବିଭ୍ରାଟ ସମ୍ବନ୍ଧରେ ମଧ୍ୟ ଆଲୋଚନା ହୋଇଥିଲା। ବୁଧବାର ସର୍କିଟ ହାଉସଠାରେ ଶିବରାତ୍ରିର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।