ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଦୀର୍ଘ ୩ଦଶନ୍ଧି ଧରି ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ। ମନଛୁଆଁ ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍ ଲୁକ୍ ପାଇଁ ସେ ଘରେଘରେ ପରିଚିତ ଥିଲେ। ୧୯୭୭ରେ ‘ଅଭିମାନ’ ଚଳଚ୍ଚିତ୍ରରୁ ଉତ୍ତମଙ୍କ ଅଭିନୟ କ୍ୟାରିଅର୍ ଆରମ୍ଭ ହୋଇଥିଲା। ଏହି ବିଶିଷ୍ଟ ଅଭିନେତା ୧୩୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ନିଜର ନିଖୁଣ ଓ କଳାତ୍ମକ ଅଭିନୟ ପାଇଁ ସେ ଓଲିଉଡରେ ନିଜର ସ୍ଵତନ୍ତ୍ର ସ୍ଥାନ ହାସଲ କରିବା ସହ ୧୯୮୦ ଦଶକରେ ସିନେମାରେ ରାଜ କରୁଥିଲେ। ସେ ଓଡ଼ିଆ ଫିଲ୍ମ ଜଗତକୁ ଉଦଣ୍ଡୀ ସୀତା, ଦଣ୍ଡା ବାଳୁଙ୍ଗା, ଜୋରଦାର ମୁଲକ ତାର, ଦେଖ ଖବର ରଖ ନଜର, ଲକ୍ଷ୍ମଣ ରେଖା, ସେଇ ଝିଅଟି, ପରଦେଶୀ ଚଢେଇ ଆଦି ସୁପର ହିଟ୍ ଫିଲ୍ମ ଦେଇଛନ୍ତି। ସେ ୩୦ଟି ବଙ୍ଗାଳି ସିନେମା ସହିତ ଗୋଟିଏ ହିନ୍ଦୀ ସିନେମା ‘ନୟା ଜହର’ରେ ହିରୋ ଭୂମିକାରେ ଅଭିନୟ କରିଛନ୍ତି।ସେହିପରି ‘ଯେ ପକ୍ଷୀ ଉଡ଼େ ଯେତେ ଦୂର’, ‘ସାରା ଆକାଶ’, ‘ପଣତକାନି’, ‘ଉତ୍ତରଦାୟୀ’ ଭଳି ଏକାଧିକ ଧାରାବାହିକରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ବେଶ୍ ଛୁଇଁଥିଲା।
ଏଥିସହିତ ‘ଦଣ୍ଡାବାଳୁଙ୍ଗା’ ଚଳଚ୍ଚିତ୍ରର ‘ଦଣ୍ଡା ବାଳୁଙ୍ଗା ମୁଁ..’, କନ୍ୟାଦାନ ଚଳଚ୍ଚିତ୍ରର ‘ଗୋରୀ ଲୋ ଗୋରୀ..’, ‘ସିନ୍ଦୁର ମଥାରେ ତୋର’.., ଉଦଣ୍ଡୀ ସୀତାର ‘ସରପଞ୍ଚ ବାବୁ..’, ରଞ୍ଜନୀ ଗନ୍ଧାର ‘ତୁ ମୋର ସ୍ବପ୍ନର ସୁନେଲୀ ସନ୍ଧ୍ୟା..’, ପରଦେଶୀ ଚଢେଇର ‘ମତେ ତ ନେଇଚି ଟାଣି..’ ଭଳି ଅନେକ ହିଟ୍ ଗୀତ ଆଜିବି ଚିରସବୁଜ ହୋଇ ରହିଛି।ଏପିରିକି ଉତ୍ତମ ମହାନ୍ତି ନିଜର ନିଖୁଣ ଅଭିନୟ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ପରି ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ତେବେ ଉତ୍ତମଙ୍କ ଅଭିନୀତ ଦଣ୍ଡା ବାଳୁଙ୍ଗା ତାଙ୍କୁ ଘରେ ଘରେ ବେଶ୍ ପରିଚିତ କରିଥିଲା । ସେ ୧୯୫୮ ଡିସେମ୍ବର ୨୩ ତାରିଖରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ।୧୯୮୭ ମସିହାରେ ଓଲିଉଡରେ କ୍ୱିନ୍ ଅପରାଜିତଙ୍କୁ ବିବାହ କରିଥିଲେ । ୧୯୮୨ରୁ ୧୯୮୪ ଯାଏଁ ଲଗାତାର ତିନି ବର୍ଷ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା।