ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ସରିଛି ଗଣ ଅଣ୍ଡାଦାନ । ଏହି ସମୟ ମଧ୍ୟରେ ୬ ଲକ୍ଷ ୯୮ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇଥିଲେ । ଫେବୃଆରୀ ୧୬ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି କଇଁଛଙ୍କ ଗଣ ଅଣ୍ଡାଦାନ ହୋଇଥିଲା ।
ସାରା ବିଶ୍ୱରେ ଏବେ ଚର୍ଚ୍ଚାକୁ ଆସିଛି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ । ଚଳିତବର୍ଷ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ ଋଷିକୁଲ୍ୟା ମୁହାଣକୁ ଅଣ୍ଡାଦାନ ପାଇଁ ଆସିଥିଲେ । ପ୍ରାୟ ୮ ଦିନ ଧରି ଚାଲିଥିଲା ଗଣଅଣ୍ଡାଦାନ ପ୍ରକ୍ରିୟା । ଏହି ସମୟ ସୀମା ମଧ୍ୟରେ ପ୍ରାୟ ୬ ଲକ୍ଷ ୯୮ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇ ସର୍ବକାଳୀନ ରେକର୍ଡ କରିଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ଗଣ ଅଣ୍ଡାଦାନ କେବଳ ଗଞ୍ଜାମ ଋଷିକୁଲ୍ୟା ମୁହାଣ ନୁହେଁ ବରଂ କେନ୍ଦ୍ରାପଡ଼ାର ଗହୀରମଥାରେ ହେଉଥିବା ଗଣ ଅଣ୍ଡାଦାନର ରେକର୍ଡକୁ ମଧ୍ୟ ଟପିଛି । ଗଞ୍ଜାମ ଜିଲ୍ଲାର ରଷିକୁଲ୍ୟା ମୁହାଣର ପୋଡମପେଟା ବେଳାଭୂମି ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ବେଳାଭୂମିରେ ଚଳିତ ବର୍ଷ ଅଲିଭ ରିଡ଼ଲେ କଇଁଛଙ୍କ ଗଣଅଣ୍ଡାଦାନ ହୋଇଥିଲା ।