ଆଉ ୮-୯ ଘଣ୍ଟା ନୁହେଁ, ୩୬ ମିନିଟରେ ହେବ କେଦାରନାଥ ଯାତ୍ରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ କେଦାରନାଥ ରୋପ୍ ୱେ ଏବଂ ହେମକୁଣ୍ଡ ସାହିବ ରୋପ୍ ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି । ହେମକୁଣ୍ଡ ସାହିବ ରୋପ ୱେ ନିର୍ମାଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଗୋବିନ୍ଦଘାଟରୁ ହେମକୁଣ୍ଡ ସାହିବ ଯାଏ ୧୨.୪ କିମି ରୋପୱେ ନିର୍ମାଣ କରାଯିବ।ଏଥିପାଇଁ ୨୭୩୦କୋଟି ଟଙ୍କା ଖର୍ଚ୍ଚ ହେବ।ବାବା କେଦାରନାଥଙ୍କ କଠିନ ଯାତ୍ରା ପାଇଁ ଅନେକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଇଚ୍ଛା ଥିଲେ ବି ମନ ବଳାଉ ନାହାନ୍ତି । ୨୩ କିଲୋମିଟର ପାହାଡ଼ି ରାସ୍ତା ପାର୍ କଲେ ମିଳେ ବାବାଙ୍କ ଦର୍ଶନ । ଏଥିପାଇଁ ଲାଗିଯାଏ ପ୍ରାୟ ୮ରୁ ୯ ଘଣ୍ଟା । ଗତ ୨୦୨୨ ଅକ୍ଟୋବର ୨୧ରେ କେଦାରନାଥ ମନ୍ଦିର ଗସ୍ତରେ ଯାଇ କେଦାରନାଥ ରୋପ୍ ୱେ ପାଇଁ ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।
ତେବେ କେଦାରନାଥ ରୋପ୍ ୱେ ପାଖାପାଖି ୯.୭ କିଲୋମିଟର ଦୀର୍ଘ ହେବ। ଏହା ଗୌରୀକୁଣ୍ଡକୁ କେଦାରନାଥ ସହ ସଂଯୁକ୍ତ କରିବ। ଫଳରେ ଉଭୟ ସ୍ଥାନରୁ ଯାତ୍ରା ସମୟ ୮ରୁ୯ ଘଣ୍ଟାରୁ ହ୍ରାସ ହୋଇ ମାତ୍ର ୩୬ ମିନିଟ ହେବ। ସେହିପରି ହେମକୁଣ୍ଡ ରୋପୱେ ଗୋବିନ୍ଦ ଘାଟକୁ ହେମକୁଣ୍ଡ ସାହିବ ସହିତ ସଂଯୁକ୍ତ କରିବ। ଏହା ପ୍ରାୟ ୧୨.୪ କିଲୋମିଟର ଦୀର୍ଘ ହେବ। ଫଳରେ ଉଭୟ ସ୍ଥାନକୁ ଯାତ୍ରାର ସମୟ ଦିନକରୁ ହ୍ରାସ ହୋଇ ମାତ୍ର ୪୫ ମିନିଟ୍ରେ ସୀମିତ ହେବ।