ଅଡିଟୋରିଅମରେ ନାହିଁ ବିଦ୍ୟୁତ ସଂଯୋଗ, ଅତ୍ୟଧିକ ଭଡ଼ା ବୃଦ୍ଧି ଯୋଗୁଁ ଉପଭୋକ୍ତା ବିମୁଖ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ରେ ପ୍ରତିଷ୍ଠିତ ପଠାଣି ସାମନ୍ତ ସଂସ୍କୃତି ଭବନ ଏହାର ଅବସ୍ଥିତି, ଆବଶ୍ୟକତା, ଆଧୁନିକୀକୃତ ଉତ୍କର୍ଷତା, ବିଶେଷ ଭାବରେ ମୁନିସିପାଲିଟିର ଏକ ମୂଲ୍ୟବାନ ସ୍ଥାୟୀ ସମ୍ପଦ ଭାବରେ ଅତ୍ୟନ୍ତ ଗୁରୁତ୍ବ ବହନ କରେ । ମାତ୍ର ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ମୂଲ୍ୟବାନ ସମ୍ପତ୍ତି ଅଚିରେ ପତନୋମୁଖୀ ହେବାର ଆଶଙ୍କା ରହିଛି  । ଏହି ଅଡିଟୋରିୟମକୁ ବିଦ୍ୟୁତ୍ ସଂଯୋଗ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ ନକରିବା, ଏହାର ଭଡ଼ାକୁ ଅହେତୁକ ଭାବେ ବୃଦ୍ଧି କରି ଉପଭୋକ୍ତା ମାନଙ୍କୁ ବିମୁଖ କରାଇ ଅଡିଟୋରିୟମକୁ ଦୀର୍ଘକାଳ ଧରି ଅବ୍ୟବହୃତ ରଖିବା ଓ ଫଳ ସ୍ୱରୂପ ଏହାର ଅବକ୍ଷୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା, ପରିସରକୁ ଅନୁପ୍ରବେଶ ଓ ପ୍ରଦୂଷଣରୁ ସୁରକ୍ଷା ଦେବାରେ ବିଫଳତା ପ୍ରଭୃତି କାରଣ ଗୁଡ଼ିକ ଏହାକୁ ବିପର୍ଯ୍ୟୟ ଆଡ଼କୁ ଆଗେଇ ନେବ ବୋଲି
ନୟାଗଡ଼ର ସଚେତନ ନାଗରିକମାନେ ଉଦବେଗ ପ୍ରକାଶ କରିଛନ୍ତି । ପୌର ପ୍ରଶାସନର ସ୍ଥାଣୁତା ଏବଂ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କର ମନମାନି ଯୋଗୁଁ ଦୀର୍ଘ ଏକ ବର୍ଷ ତଳୁ ୨ କୋଟି ଟଙ୍କା ବିନିମୟରେ ନବୀକରଣ ହୋଇଥିବା ଜିଲ୍ଲାର ଏହି ଏକ ମାତ୍ର ଅଡିଟୋରିଅମଟି ଏବେ ଭୂତ କୋଠିରେ ପରିଣତ ହେବାକୁ ଯାଉଛି । ଏହି ସମସ୍ୟାର ଯଥୋଚିତ ସମାଧାନ କରିବା ପାଇଁ ନୟାଗଡ଼ବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବରେ ଦାବି କରାଯାଇ ଥିବା ବେଳେ ଯଦି ଏକମାସ ମଧ୍ୟରେ ସମସ୍ୟାର କୌଣସି ସମାଧାନ ନହୁଏ ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ସଂଗଠିତ କରିବା ପାଇଁ ଚେତାବନୀ ଦିଆଯାଇଛି। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଦିଆଯାଇଥିବା ଅଭିଯୋଗ ପତ୍ରରେ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ଶ୍ରୀକାନ୍ତ ପଟ୍ଟନାୟକ, କଂଗ୍ରେସ ନେତା ରଣଜିତ ଦାଶ,ନାଟ୍ୟକାର ଡ.ବିଜୟ କୁମାର ଚୌଧୁରୀ,ଲକ୍ଷ୍ମୀଧର ମହାପାତ୍ର, ନିର୍ମଳ ଶୁରଦେଓ,ସାମ୍ବାଦିକ ସୁବାସ ଚନ୍ଦ୍ର ମହାପାତ୍ର,ନିଶିକାନ୍ତ ରଥ,ଦୁର୍ଯ୍ୟୋଧନ ସାହୁ,କଣ୍ଠଶିଳ୍ପୀ ନବକିଶୋର ମିଶ୍ର ଏବଂ ପୂର୍ଣଚନ୍ଦ୍ର ଶତପଥୀ ପ୍ରମୁଖ ସ୍ଵାକ୍ଷର କରିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital