ନୟାଗଡ଼,(ଓଡିଶା ଦର୍ପଣ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ ନିମନ୍ତେ ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ପୋଲିସ -ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ, ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଭରତ ଚନ୍ଦ୍ର ବେହେରା, ଅର୍ଥ ପର୍ଯ୍ୟବେକ୍ଷକ ଶ୍ରୀ ଅଶୋକ କୁମାର ମହାନ୍ତି,ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଉମାକାନ୍ତ ମଲ୍ଲିକ ମଂଚାସୀନ ଥିଲେ । ଚଳିତ ପଂଚାୟତ ନିର୍ବାଚନରେ ନୟାଗଡ଼ ଜିଲ୍ଲାର ୧୯୪ ପଂଚାୟତର ୨୯୮୮ଟି ଓାର୍ଡ ତଥା ବୁଥ୍ରେ ନିର୍ବାଚନ ଅନୁଷ୍ଠିତ ହେବ । ସେଥି ମଧ୍ୟରୁ ୪୮୩ଟି ଉତ୍ତେଜନା ପ୍ରବଣ ବୁଥ୍ । ପୋଲିସ ପ୍ରଶାସନ ପକ୍ଷରୁ ଉତ୍ତେଜନା ପ୍ରବଣ ବୁଥ ଅଂଚଳରେ ପୋଲିସ ଫ୍ଲାଗମାର୍ଚ୍ଚ ଏବଂ ପେଟ୍ରୋଲିଂ କରାଯିବା ସହିତ ନିର୍ବାଚନ ଆଚରଣ ବିଧି ଉଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଡିଓ ଓ ତହସିଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ପକ୍କା ଘର ଅଭାବରୁ ୩୩ଗୋଟି ଅସ୍ଥାୟୀ ବୁଥ୍ ନିର୍ମାଣ ହେବାର ନିଷ୍ପତ୍ତି ହୋଇଅଛି । ପ୍ରତ୍ୟେକ ବ୍ଲକ ପାଇଁ ସେକ୍ଟର ଅଫିସର ଯଥା- ଓଡ଼ଗାଁ -୪୬, ରଣପୁର-୫୫,ନୟାଗଡ଼-୪୨, ନୂଆଗାଁ-୩୪,ଦଶପଲ୍ଲା-୩୪,ଗଣିଆ-୧୫, ଖଣ୍ଡପଡ଼ା-୪୨ ଓ ଭାପୁର-୪୫ ଜଣ ଲେଖାଁଏ ନିଯୁକ୍ତି କରାଯାଇଛି । ଆସନ୍ତା ତା.୧୫.୦୨.୨୦୨୨ରିଖ ଠାରୁ ତା.୨୮.୦୨.୨୦୨୨ରିଖ ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲାର ସମସ୍ତ ମଦ ଦୋକାନ ବନ୍ଦ ରହିବ । ପ୍ରତ୍ୟେକ ବ୍ଲକରେ ସ୍ୱତନ୍ତ୍ର ମହିଳା ବୁଥ୍ କରାଯିବ ଯେଉଁଥିରେ ସମସ୍ତ ପୋଲିଂ ପର୍ସନେଲ ମହିଳା ରହିବେ । ସକାଳ ୭ଘଟିକା ଠାରୁ ଭୋଟଦାନ ଆରମ୍ଭ ହୋଇ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅପରାହ୍ନ ଠିକ୍ ୧ଘଟିକାରେ ଭୋଟକେନ୍ଦ୍ରର ପ୍ରବେଶ ଦ୍ୱାର ବନ୍ଦ କରାଯିବ ଏବଂ ଭୋଟ କେନ୍ଦ୍ର ମଧ୍ୟରେ ଉପସ୍ଥିତ ଥିବା ସମସ୍ତ ଭୋଟର ମତଦାନ କରିପାରିବେ । ଭୋଟ ବାକ୍ସଗୁଡ଼ିକ ଭୋଟ ଦାନ କେନ୍ଦ୍ରରୁ ବ୍ଲକର ଷ୍ଟ୍ରଙ୍ଗ୍ ରୁମ ପହଂଚିବା ପର୍ଯ୍ୟନ୍ତ ପୋଲିସ ପର୍ସନେଲ ଉପସ୍ଥିତ ରହିବେ । ଆସନ୍ତା ଫେବୃଆରୀ ୨୬,୨୭ ଓ ୨୮ ତାରିଖ ଦିନ ପ୍ରତ୍ୟେକ ବ୍ଲକରେ ଭୋଟ ଗଣତି ସକାଳ ୮ଘଟିକା ଠାରୁ ଆରମ୍ଭ ହେବ । ଷ୍ଟ୍ରଙ୍ଗ୍ ରୁମଗୁଡ଼ିକ ୨୪ଘଂଟା ସିସି ଟିଭି ଏବଂ ପୋଲିସର ସତର୍କ ଦୃଷ୍ଟିରେ ରହିବ । ଏହି ବୈଠକରେ ଜିଲ୍ଲା ପଂଚାୟତ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାର. ତହସିଲଦାର,ଏସ.ଡି.ପି.ଓ, ଥାନା ଅଧିକାରୀ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।