ଅକ୍ଷୟ ଶକ୍ତି ଲାଗି ନିଆଯାଇଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କଲେ ମହାମହିମ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି । ଏହାକୁ ଉପଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ରାଜ୍ୟପାଳ । ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ରାଜଭବନରେ ଶକ୍ତି ଭିତ୍ତିଭୂମିରେ ଗ୍ରହଣ କରାଯାଇଥିବା ପରିବର୍ତ୍ତନକାରୀ ପଦକ୍ଷେପ ସଂପର୍କରେ ମହାମହିମ ରାଜ୍ୟପାଳ ସୂଚନା ଦେଇଛନ୍ତି । ରାଜଭବନ ପରିସରରେ ୧୫୦ କିଲୋୱାଟ ସୌରଶକ୍ତି ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହୋଇଛି ଏବଂ ଖୁବ ଶୀଘ୍ର ଅତିରିକ୍ତ ୪୦୦ କିଲୋୱାଟ ପ୍ଲାଣ୍ଟ୍ ସ୍ଥାପିତ ହେବାକୁ ଯାଉଛି। ଏହା ରାଜ୍ୟପାଳଙ୍କ ବାସଭବନକୁ ଏକ ନେଟ୍-ଜିରୋ ଶକ୍ତି କ୍ୟାମ୍ପସ୍ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସବୁଜ ମିଶନକୁ ଆଗକୁ ବଢ଼ାଇବା ଉଦେ୍ଦଶ୍ୟରେ ଭାରତରେ ନିର୍ମିତ ଦୁଇ ଚକିଆ ଯାନ ଏବଂ ଅଫିସିଆଲ କାର୍ ପ୍ରଚଳନ କରାଯାଇଛି । ଯାହା, ସ୍ଥାୟୀ ଗତିଶୀଳତା ପ୍ରତି ନିର୍ଣ୍ଣାୟକ ପଦକ୍ଷେପର ସଙ୍କେତ ଦେଉଛି । ରାଜ୍ୟର ସରକାରୀ କାର୍ଯ୍ୟାଳୟରେ ଆସନ୍ତା ୫ ବର୍ଷ ମଧ୍ୟରେ ଲାଗିବ ସୌର ପ୍ୟାନେଲ । ତେବେ ବର୍ତ୍ତମାନ କଟକ-ଭୁବନେଶ୍ୱର କାର୍ଯ୍ୟାଳୟ ଗୁଡିକରେ ଲଗାଯାଇଛି । ଆଗକୁ ସମସ୍ତ ସହରରେ କରାଯିବ ବୋଲି ଶକ୍ତି ସଚିବ ଵିଶାଲ ଦେବ କହିଛନ୍ତି । ସମସ୍ତ ସରକାରୀ କର୍ମଚାରୀ ଇଭି ଗାଡି ବ୍ୟବହାର କରିବା ଉଚିତ୍ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ।
