କେନ୍ଦ୍ରାପଡ଼ାର ଜରି ମାଉସୀ ଭାବେ ପରିଚିତ ଖଇରାବାଦ ଗାଁର କମଳା ମହାରଣାଙ୍କର ପରଲୋକ ଘଟିଛି। କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି l ମୃତ୍ୟୁ ବେଳକୁ କମଳାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଗତ ମେ’ ୨୮ରେ ଘରେ ଗୋଡ଼ ଖସିଯିବାରୁ ଆହତ ହୋଥିଲେ |ବାହାରେ ଫୋପାଡି ଦିଆଯାଉଥିବା ଅଦରକାରୀ ପଲିଥିନ ଓ ବର୍ଜ୍ୟବସ୍ତୁରୁ ସେ ଦରକାରୀ ସାମଗ୍ରୀ ପ୍ରସ୍ତୁତ କରୁଥିଲେ । ଯାହାକୁ ନେଇ ସେ ସମଗ୍ର ଦେଶରେ ଚର୍ଚ୍ଚାରେ ରହିଥିଲେ । ଏହି ବର୍ଜ୍ୟବସ୍ତୁରୁ ଶିଳ୍ପ କଳାକୁ ନେଇ ୯୮ତମ ମନ୍ କି ବାତ ରେ କମଳାଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ବୋଲି କହି ତାଙ୍କୁ ଅବିହିତ କରିଥିଲେ ।
କମଳାଙ୍କ କାମକୁ ପ୍ରଶଂସା କରି ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କୁ ପରେଡ଼ ଦେଖିବା ପାଇଁ ଦିଲ୍ଲୀ ଡାକରା ଆସିଥିଲା । ତେବେ ପ୍ରଥମେ ସେ ଦିଲ୍ଲୀ ଯିବା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଅସୁସ୍ଥତା କାରଣରୁ ଯାଇ ପାରିନଥିଲେ ।ସେହିପରି ଗତ ସାଧାରଣ ନିର୍ବାଚନର ପ୍ରଚାର ପାଇଁ କେନ୍ଦ୍ରାପଡ଼ା ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମଳାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । କମଳା ଗହ୍ମାପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀଙ୍କୁ ଜରିରେ ନିର୍ମିତ ରାକ୍ଷୀ ପଠାଇଥିଲେ । ନିକଟରେ ଅପରେସନ ସିନ୍ଦୂରର ସଫଳତା ପରେ କମଳା ତିନି ସେନାର ମୁଖ୍ୟଙ୍କ ପାଇଁ ଜରି ତିଆରି ଟୋପି ପଠାଇ ଚର୍ଚ୍ଚାକୁ ଆସିଥିଲେ l