ବାଲି ମାଫିଆଙ୍କ ଦାଦାଗିରି । ରାତି ଅଧରେ ଜୁନିଅର ମାଇନିଂ ଅଫିସରଙ୍କୁ ଆକ୍ରମଣ । ବେଆଇନ ବାଲି ଖାଦାନରେ ଚଢଉ କରି ଫେରିବା ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଚାଲନ୍ତି ନିକଟସ୍ଥ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ଖବର ପାଇ ଚଢାଉ କରିଥିଲେ ଜଳେଶ୍ବର ଜୁନିୟର ମାଇନିଂ ଅଫିସର ଜିତେନ୍ଦ୍ର ଦାସ । ଦୀର୍ଘ ଦିନ ଧରି ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ଆସୁଥିବା ବେଳେ ମାଫିଆଙ୍କୁ ଧରିବାକୁ ଚଢ଼ାଉ କରାଯାଇଥିଲା । କିନ୍ତୁ କାର୍ଯ୍ୟାନୁଷ୍ଠାନକୁ ଭୟ କରିବା ବଦଳରେ ଫେରିବା ବାଟରେ ଅଧିକାରୀଙ୍କ ଗାଡ଼ି ଅଟକାଇ ଆକ୍ରମଣ କରିଛନ୍ତି ବାଲି ମାଫିଆ । ଏନେଇ ଜଳେଶ୍ୱର ଥାନାରେ ଏତଲା ଦିଆଯାଇଛି ।
