ନିୟନ୍ତ୍ରଣକୁ ଆସୁନି ଡାଇରିଆ । ସୋମବାର ଅପରାହ୍ନ ସୁଦ୍ଧା ରାଜ୍ୟର ୭ଜିଲ୍ଲାକୁ ବ୍ୟାପିଛି ଝାଡାବାନ୍ତି । ଯାଜପୁର ପରେ କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ ଓ ପୁରୀରୁ ଡାଇରିଆ ମାଡିଗଲାଣି । ସବୁଠୁ ଅଧିକ ପ୍ରଭାବିତ ଯାଜପୁର ଜିଲ୍ଳାର କୋରେଇ, ବଡ଼ଚଣା । ଧର୍ମଶାଳାରେ ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବାବେଳେ, ଯାଜପୁର ଓ ବରୀ ବ୍ଲକରେ ହଇଜା ବ୍ୟାପୁଥିବା ଦେଖିବାକୁ ମିଳିଛି । । ରାଜ୍ୟର ଏପର୍ଯ୍ୟନ୍ତ ଗଲାଣି ୨୧ଜୀବନ । ୧୭୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ୧୩୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ମେଡିକାଲରେ ୨୪୦ ଜଣଙ୍କ ଚିକିତ୍ସା ଚାଲିଛି । ତେବେ ଏହା ମହାମାରୀ ନୁହେଁ ସ୍ଥାନୀୟ ସଂକ୍ରମଣ ବୋଲି ରିପୋର୍ଟ ଦେଇଛି ୧୪ ଜଣିଆ କେନ୍ଦ୍ରୀୟ ଦଳ ।
ସେପଟେ ଧର୍ମଶାଳା, ବଡ଼ଚଣା, ରସୁଲପୁର, ଯାଜପର ଟାଉନ, ଦାନଗଦି, ବ୍ୟାସନଗର ମୁନିସିପାଲଟି ଓ କୋରୋଇରେ ପରିସ୍ଥିତି ସଙ୍ଗୀନ ରହିଛି । ନିୟନ୍ତ୍ରଣ ପାଇଁ ଧର୍ମଶାଳା ଅଧୀନରେ ଥିବା ହୋଟେଲ, ଡାବା, ଫାଷ୍ଟଫୁଡ, ଆଇସକ୍ରିମ କାରଖାନା, ପାଣି ପାଉଚ୍ କାରଖାନା ଓ ଆମିଷ ଦୋକାନ ଗୁଡ଼ିକୁ ଆସନ୍ତା ଦୁଇ ସପ୍ତାହ ପାଇଁ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ବିନା ଅନୁମତିରେ ଦୋକାନ ଖୋଲିଲେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ । ବିବାହ, ବ୍ରତଘର, ଜନ୍ମଦିନ, ତଥା ସମୁହ ଭୋଜିଭାତକୁ ବର୍ଜନ କରିବାକୁ ଅନୁରୋଧ କରାଯାଇଛି । କଟକର ବାଙ୍କୀ ପରେ ନରସିଂହପୁର, ଚୌଦ୍ବାର-ଟାଙ୍ଗୀ ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି । ଏପରିକି ନରସିଂହପୁରର ଡିମିରିଆ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଛି ।