ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଛି । ଏବେ ରହିଛି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ । ପଶ୍ଚିମ-ଉତ୍ତର ପଶ୍ଚିମକୁ ମୁହାଁଇ ଆଉ ଟିକିଏ ଘନୀଭୂତ ହେବ ଆସନ୍ତା ୨୪ ଘଣ୍ଟାରେ । ଏପଟେ ମୌସୁମୀ ଆଗେଇବା ସହ ରାଜ୍ୟର ବହୁ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୩ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ବୁଧବାର କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂଜାରି କରାଯାଇଛି। ଏସବୁଜିଲାକୁ ବିଜୁଳି ଘଡ଼ଘଡ଼ି ଭୟ ରହିଥିବାବେଳେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି।
ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଦେବଗଡ଼, ବରଗଡ଼, ଅନୁଗୋଳ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ କଟକ ଆଦି ଜିଲାକୁ ବଜ୍ରପାତ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ପ୍ରବଳ ବର୍ଷା ନେଇ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ତେବେ ୧୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିଥିବାରୁ ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ବର୍ଷା ସମୟରେ ବଜ୍ରପାତ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।