ଟ୍ବିନ ସିଟିରେ ହଇଜା ଚିନ୍ତା । ଦିନକୁ ଦିନ ହଇଜା ଓ ଜଣ୍ଡିସ ବ୍ୟାପିବାରେ ଲାଗିଥିବାବେଳେ ସଜାଗ ହୋଇ ଉଠିଛି ସ୍ବାସ୍ଥ୍ୟ ବିଭାଗ । ଆଜି ବିଭାଗ ପକ୍ଷରୁ କଟକ ମହାନଗର ନିଗମ ସହାୟତାରେ ବାଦାମବାଡି ଶଙ୍କରପୁର ଅଂଚଳର ଦାସ ସାହି ଓ ଉପର ସାହିର ଦୁଇ କମ୍ପାନୀ ଉପରେ ଚଢାଉ କରାଯାଇଛି । ଚଢାଉ ବେଳେ ଅପରିଷ୍କାର ପରିବେଶ ଓ ପାଣିର ମାନ ନେଇ ଅସନ୍ତୁଷ୍ଟ ହୋଇଛନ୍ତି ବିଭାଗୀୟ ଅଧିକାରୀ ।ଚଢାଉ ପରେ ପାଣି କମ୍ପାନୀଗୁଡ଼ିକ ସିଲ କରିଛି ସି ଏମ ସି ସ୍ବାସ୍ଥ୍ୟ ବିଭାଗ । ଡାଇରିଆର ଭୟାବହତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି । ତେବେ ଯଦି ଡାଇରିଆକୁ ନେଇ ଏବେ ଚିନ୍ତାଜନକ ସ୍ଥିତି ଉତ୍ପନ୍ନ ହୋଇ ନ ଥାନ୍ତା, ହୁଏତ ଏହିପରି ରେଡ ଦେଖିବାକୁ ମିଳି ନ ଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।ସେପଟେ ଅନ୍ୟ କିଛି କମ୍ପାନୀ ନାଁରେ ଏଭଳି ଅଭିଯୋଗ ଅଛି ଓ ତୁରନ୍ତ ଚଢାଉ କରାଯିବ ବୋଲି କହିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ । ଜଳ ନାଁରେ ଜହର ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇ ପଡିଛି ।
