ପାଖେଇ ଆସୁଛି ରଥଯାତ୍ରା। ପୁରୀକୁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଡାଇରିଆକୁ ନେଇ ଏବେ ଚିନ୍ତା ବଢିବାରେ ଲାଗିଛି । ଉଠା ଦୋକାନୀ ଓ ଛୋଟ ହୋଟେଲ ଗୁଡ଼ିକ ଖାଦ୍ୟ ପ୍ରସ୍ତୁତିରେ ପରିଷ୍କାର ପରିଚ୍ଛନ୍ନତା ରଖନ୍ତି ନାହିଁ। ଯଦି ଦୂଷିତ ଜଳ ଓ ଖାଦ୍ୟ ପାଇଁ ଡାଇରିଆ ବ୍ୟାପେ ତେବେ ପରିସ୍ଥିତି ଅଣାୟତ୍ତ ହେବାର ସମ୍ଭାବନା ରହିଛି। ଏଣୁ ତୁରନ୍ତ ପୁରୀ ଜିଲା ପ୍ରଶାସନ ଡାଇରିଆ ମୁକାବିଲା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଓ ସ୍ବେଛାସେବୀ ଦାବି କରିଛନ୍ତି।ଏବେ ବି ପୁରୀ ସହରର ବିଭିନ୍ନ ସାହିରେ ସଫେଇ ହେଉ ନାହିଁ। ଅଳିଆ ଆବର୍ଜ୍ଜନା ଦୀର୍ଘ ଦିନ ହେବ ପଡ଼ି ରହିଥିବାରୁ ଡାଇରିଆ ସଂକ୍ରମଣ ହେବାର ଆଶଙ୍କା ରହିଛି। ସେହିପରି ଅନେକ ସ୍ଥାନରେ ଡ୍ରେନ ଭିତରେ ପାଣି ପାଇପ ଯାଇଛି । ଅନେକ ପାଇପ ପୁରୁଣା ହୋଇ ଯାଇଥିବାରୁ ଡ୍ରେନ ପାଣି ପାଇପ ଯୋଗେ ପ୍ରବେଶ କରି ଡାଇରିଆ ସହିତ ଜଣ୍ଡିସ ବ୍ୟାପିବାର ମୁଖ୍ୟ କାରଣ ସାଜିବ।ପୁରୀ ସହର ସମୁଦ୍ର କୂଳ, ବଡ ଦାଣ୍ଡ ସହ ଅନ୍ୟାନ୍ୟ ସ୍ଥାନରେ ମାଳ ମାଳ ଉଠା ଦୋକାନୀ ଦୂଷିତ ଓ ନିମ୍ନ ମାନର ଖାଦ୍ୟ ଯାତ୍ରୀଙ୍କୁ ବିକ୍ରି କରୁଛନ୍ତି । ତୁରନ୍ତ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଖାଦ୍ୟର ମାନ ଯାଞ୍ଚ ହେବାର ଆବଶ୍ୟକତା ରହିଛି। ଡାଇରିଆ ନିୟନ୍ତ୍ରଣ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସ୍ବତନ୍ତ୍ର ଆକ୍ସନ ପ୍ଲାନ୍ ଗ୍ରହଣ ନ କଲେ ରଥଯାତ୍ରାରେ ହିଁ ଡାଇରିଆ ମହାମାରୀ ରୂପ ଧାରଣ କରିବାର ଯଥେଷ୍ଟ ଆଶଙ୍କା ଥିବା ବୁଦ୍ଧିଜୀବୀ ଓ ସ୍ବେଛାସେବୀ ଆଶଙ୍କା କରୁଛନ୍ତି।
