ଶ୍ରୀଜଗନ୍ନାଥଙ୍କ ନାମକୁ ଫେରିବ ୪୫୦ କୋଟିର ସମ୍ପତ୍ତି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ଦିଗରେ ଏକ ବଡ଼ ରାୟ ଦେଇଛନ୍ତି ରାଜସ୍ୱ ପର୍ଷଦ ଅଧୀନସ୍ଥ ଚକବନ୍ଦି ଆୟୁକ୍ତ । ପୁରୀ ତହସିଲ ଅନ୍ତର୍ଗତ ଶଙ୍କରପୁର ମୌଜାର ୨୮.୮୪୦ ଏକର ମୂଲ୍ୟବାନ ଜମିର ବିବାଦୀୟ ଚୂଡ଼ାନ୍ତ ରେକର୍ଡକୁ ରଦ୍ଦ କରି ଏହାକୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ରେକର୍ଡ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଚକବନ୍ଦୀ କମିଶନର ପ୍ରବୀର କୁମାର ନାୟକ ୨୦୧୬ ମସିହାର ସେଟଲମେଣ୍ଟ ରିଭିଜନ୍ ପିଟିସନ୍ ନମ୍ବର ୩୦୩ର ଶୁଣାଣି କରି ଏହି ରାୟ ଦେଇଛନ୍ତି। ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ଆଇନ, ୧୯୫୮ର ଧାରା ୧୫(ବି) ଅନୁସାରେ ଏହି ମାମଲା ଦାଖଲ ହୋଇଥିଲା। ଖାତା ନମ୍ବର ୪୧୧ ସମ୍ପର୍କିତ ହାଲ୍ ରେକର୍ଡ ଅଫ୍ ରାଇଟ୍ସ ବା ନୂଆ ଜମି ରେକର୍ଡ ପ୍ରସ୍ତୁତିକୁ ଚ୍ୟାଲେଞ୍ଜ କରିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି।ଓମ୍‌କାରେଶ୍ବର ମନ୍ଦିର ସଂଲଗ୍ନ ଏହି ଜମିର ଆନୁମାନିକ ବଜାର ମୂଲ୍ୟ ୪୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଇନଜୀବୀ ଅମ୍ବିକା ପ୍ରସାଦ ମିଶ୍ର ମାମଲା ପରିଚାଳନା କରୁଥିଲେ ।ସୂଚନା ଅନୁସାରେ, ଶଙ୍କରପୁର ମୌଜାରେ ଥିବା ଏହି ଜମିକୁ ୧୯୬୨-୬୩ ମସିହାରରେ ଉତ୍ତର ପାର୍ଶ୍ବ ମଠର ତତ୍କାଳୀନ ମହନ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ। ଏଥିସହ ମହାପ୍ରଭୁଙ୍କ ନାମରେ ରେକର୍ଡ କରିବାକୁ ସେଟଲମେଣ୍ଟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ତଦନୁଯାୟୀ, ୧୯୭୭ ମସିହାର ସାବକ ରେକର୍ଡରେ ଏହି ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରେକର୍ଡଭୁକ୍ତ ହୋଇଥିଲା। ଚକବନ୍ଦି ପ୍ରକ୍ରିୟାର ପ୍ରାରମ୍ଭିକ ଜମି ରେଜିଷ୍ଟରରେ ମଧ୍ୟ ମହାପ୍ରଭୁଙ୍କ ନାମ ରହିଥିଲା। ତେବେ ୨୦୧୦ ମସିହାରେ ପୁରୀ ଅତିରିକ୍ତ ଉପଜିଲ୍ଲାପାଳଙ୍କ ଏକ ଆଦେଶ ବଳରେ ଏହି ଜମି ମହନ୍ତଙ୍କ ନାମରେ ରେକର୍ଡ ହୋଇଥିଲା। ଆର୍‌.ଆର୍‌.ସି. ମାମଲା ନଂ. ୬୬/୨୦୧୦ରେ ମାତ୍ର ୨୬ ଦିନ ମଧ୍ୟରେ ଏହି ପରିବର୍ତ୍ତନ କରାଯାଇଥିଲା। ମନ୍ଦିର ପ୍ରଶାସନର ଅଗୋଚରରେ ମହାପ୍ରଭୁଙ୍କ ନାମକୁ ରେକର୍ଡରୁ ବାଦ୍ ଦିଆଯାଇଥିବା ବେଳେ ୨୦୧୩ରେ ମହନ୍ତଙ୍କ ନାମରେ ପଟ୍ଟା ପ୍ରସ୍ତୁତ ହୋଇଥିଲା । ଏହି ଘଟଣା ସହ ସମ୍ପୃକ୍ତ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଅତୀତରେ ସରକାରୀ କାର୍ଯ୍ୟରୁ ନିଲମ୍ବିତ ମଧ୍ୟ କରାଯାଇଥିଲା ।ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୧୬ ମସିହାରେ ଚକବନ୍ଦି ଆୟୁକ୍ତଙ୍କ ନିକଟରେ ମାମଲା ରୁଜୁ କରାଯାଇଲା। ବିଚାର ସମୟରେ ଆୟୁକ୍ତ ଜାଣିବାକୁ ପାଇଥିଲେ ଯେ, ଜମିର ରେକର୍ଡ ପରିବର୍ତ୍ତନ ସମୟରେ ଶ୍ରୀମନ୍ଦିର ପ୍ରଶାସକ ଓ ଦେବୋତ୍ତର ଆୟୁକ୍ତଙ୍କୁ ଆବଶ୍ୟକ ନୋଟିସ୍ ଦିଆଯାଇ ନଥିଲା। ଫଳରେ ସେମାନେ ନିଜ ପକ୍ଷ ରଖିବାର ସୁଯୋଗ ପାଇ ନଥିଲେ। ଏହାକୁ ନ୍ୟାୟ ପ୍ରକ୍ରିୟାର ମୌଳିକ ନୀତିର ଉଲ୍ଲଂଘନ ବୋଲି ଆୟୁକ୍ତ ବିବେଚନା କରିଛନ୍ତି। ତେଣୁ ଏହି ଜମି ପୁଣି ଥରେ ମହାପ୍ରଭୁଙ୍କ ନାମକୁ ଫେରାଇ ଆଣିବାକୁ ପୁରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୀର୍ଘବର୍ଷର ଜମି ବିବାଦରେ ଏହି ନିର୍ଦ୍ଦେଶ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଅଧିକ ପଢନ୍ତୁ