ଗୋଟିଏ ବାତ୍ୟା ଯାଇନି ଆଉ ଗୋଟିଏ ବାତ୍ୟା ଆସିଲାଣି । ଯାହାକୁ ନେଇ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର । ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଭଳି ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।ଆସନ୍ତାକାଲି ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ସମୁଦ୍ରରେ ଆହୁରି ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେଇପାରେ। ବାତ୍ୟା ସୃଷ୍ଟି ହେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ନଭେମ୍ବର ୨ ତାରିଖ ସନ୍ଧ୍ୟା ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବା ସମ୍ଭାବନା ରହିଛି। ନଭେମ୍ବର ୨ ତାରିଖ ବିଳମ୍ବିତ ରାତିରୁ ୩ ତାରିଖ ଭୋର୍ ପ୍ରାୟ ୨ଟାରୁ ସକାଳ ୫ଟା ମଧ୍ୟରେ ଆନ୍ଧ୍ର ଉପକୂଳ ଛୁଇଁପାରେ ବାତ୍ୟା ମୋରାସୁ।ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ ବର୍ତ୍ତମାନ ପବନର ବେଗ ଘଣ୍ଟାପ୍ରତି ୪୫ କିମି ରହିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ, ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ହୋଇପାରେ। ଝଟକା ପବନର ବେଗ ୯୫ରୁ ୧୦୦ କିମି ହୋଇପାରେ । ପ୍ରଭାବରେ ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ ବୃଦ୍ଧି ସହ ସମୁଦ୍ର ଅଶାନ୍ତ ହେବାର ଆଶଙ୍କା ରହିଛି। ଗୋପାଳପୁର, ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଘଡ଼ଘଡ଼ି ସହ ଝଟକା ପବନ ବହିପାରେ । ୨ ନଭେମ୍ବରରୁ ୪ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷାର ପ୍ରଭାବ ରହିବ। ୨ ନଭେମ୍ବରରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବ। ବିଶେଷ କରି ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ରହିଛି । ତେବେ, ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ର ପ୍ରଭାବ ଓଡ଼ିଶା ଉପରେ କିଭଳି ରହିବ ? କେତେ ପ୍ରଭାବିତ ହେବ ଆନ୍ଧ୍ରକୁ ଲାଗି ରହିଥିବା ଦକ୍ଷିଣ ଓଡ଼ିସା ? ବର୍ତ୍ତମାନର ସ୍ଥିତି କଣ ? ସେନେଇ ଏସଆରସିଙ୍କ କାର୍ଯ୍ୟାଳୟରେ ବୈଠକ କରି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକଙ୍କ ଠାରୁ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଆଗୁଆ ପ୍ରସ୍ତୁତି ନେଇ ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ସଚିବଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।
