ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ l ପିଟିଲେ…ଲଣ୍ଡା କଲେ…ପାଟିରେ ଘାସ ଦେଇ ବୁଲାଇଲେ

ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ l ଦୁଇ ଦଳିତଙ୍କୁ ଗାଁ ଦାଣ୍ଡରେ ଅକଥନୀୟ ଅତ୍ୟାଚାର ଦେଲେ ଲୋକେ । ଅଧା ଲଣ୍ଡା କରିବା ସହ ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲେଇବା ସହ ନର୍ଦ୍ଦମାର ମଇଳା ପାଣି ପିଆଇଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମରେ । ଦଣ୍ଡ ପାଇଥିବା ଦୁଇ ବ୍ୟକ୍ତି ହେଲେ ସିଙ୍ଗିପୁର ଗ୍ରାମର ବୁଲୁ ନାୟକ ଏବଂ ବାବୁଲା ନାୟକ

ମିଳିଥିବା ସୂଚନା ମୁତାବକ, ଝିଅଙ୍କୁ ଯୌତୁକ ଦେବା ପାଇଁ ବୁଲୁ ଏବଂ ବାବୁଲା ହରିପୁରରୁ ୩ଟି ଗାଈ ଧରି ସିଙ୍ଗିପୁର ଯାଉଥିଲେ। ହେଲେ ଖାରିଗୁମ୍ମାଠାରେ ତାଙ୍କୁ କିଛି ଲୋକ ଅଟକାଇ ଗୋରୁ ଚାଲାଣ କରୁଥିବା କହି ପଇସା ମାଗିଥିଲେ l ପଇସା ନ ଦେବାରୁ ସେମାନଙ୍କୁ ମାଡ଼ ମାରି ସେଲୁନରେ ଅଧା ଲଣ୍ଡା କରିଥିଲେ। ପରେ ସେମାନଙ୍କୁ ଖାରିଗୁମ୍ମାଠାରୁ ପାଦରେ ଚଳାଇ ଜାହାଡା ଆଣିଥିଲେ। ଏପରିକି ସେମାନଙ୍କୁ ଗାଁ ଦାଣ୍ଡରେ ଆଣ୍ଠେଇ ଚଲାଇ ଘାସ ଖୁଆଇବା ସହ ନର୍ଦ୍ଦମା ପାଣି ପିଇବାକୁ ବାଧ୍ୟ କରିଥିଲେ। ହେଲେ ବୁଲୁ ଏବଂ ବାବୁଲା ସେଠାରୁ କୌଶଳ କ୍ରମେ ଖସି ଆସି ଘଟଣା ସଂକ୍ରାନ୍ତରେ ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।। ଧରାକୋଟ ପୋଲିସ ତାଙ୍କୁ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ଘଟଣାରେ ତଦନ୍ତ କରୁଛି । ଯେଉଁମାନେ ଏଭଳି ଅମାନୁଷିକ କାଣ୍ଡ କରିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନିର୍ଯାତନାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ଲୋକେ।

ଅଧିକ ପଢନ୍ତୁ

kc ads