ରଥଯାତ୍ରାରେ ଅଘଟଣ | ରାଜ୍ୟ ସରକାର ସ୍ୱୀକୃତିପ୍ରାପ୍ତ ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରଥଯାତ୍ରା ଖବର ସଂଗ୍ରହ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିବା ବେଳେ ପୁଲିସ ଆକ୍ରମଣରେ 7ରୁ ଉର୍ଦ୍ଧ୍ବ ଗୁରୁତର ଆହାତ ହୋଇଛନ୍ତି | ଜଣେ ମହିଳା ସାମ୍ବାଦିକ ହାତରେ 20 ଷ୍ଟିଜ ପଡିଛି | ଏହି ଘଟଣା ପ୍ରଥମ ଥର ଘଟିଥିବା ବେଳେ ଏହାକୁ ବିରୋଧୀ ନିନ୍ଦା କରିଛନ୍ତି|ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ସାମ୍ବାଦିକମାନଙ୍କ ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବାକୁ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିଲେ | ସକାଳ 8ଟା ରୁ ଭୁବନେଶ୍ବର ଜୟଦେବ ଭବନ ନିକଟରୁ ଓଟିଡିସି ବସରେ 52 ଜଣ ସାମ୍ବାଦିକ ବାହାରିଥିଲେ | ପୁରୀରେ ପୂର୍ବାହ୍ନ 10 ଟାରେ ପହଞ୍ଚିଥିଲେ | ସେମାନଙ୍କ ପାଇଁ କର୍ଡନ ପାସ ବ୍ୟବସ୍ଥା କରାଯାଇଥିଲା | ସମସ୍ତ ସାମ୍ବାଦିକମାନେ ମୋଚି ସାହି ଦେଇ ଶ୍ରୀ ମନ୍ଦିର ସିଂହ ଦ୍ଵାର ସମ୍ମୁଖରେ ପହଁଞ୍ଚିଲେ | ହେଲେ ସେମାନଙ୍କୁ ପୁଲିସ ବ୍ୟାରିକେଡରେ ଛାଡି ନଥିଲା | ସାମ୍ବାଦିକମାନେ ପୁଲିସକୁ କର୍ଡନ ପାସ ସହିତ ନିଜର ସାମ୍ବାଦିକ ପରିଚୟ ପତ୍ର ବି ଦେଖାଇଥିଲେ | କିନ୍ତୁ ପୁଲିସ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରିଥିଲେ | ଘଟଣା ସ୍ଥଳରେ ସାମ୍ବାଦିକଙ୍କୁ ଠେଲାପେଲାରେ 7 ଜଣ ଗୁରୁତର ଆହତ ହୋଇଥିଲେ | ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି ତଳେ ପଡି ଯିବା ଯୋଗୁଁ ଲୋକମାନେ ଦଳାଚକଟା କରିଦେଥିଲେ | ସେହିପରି ଆଉ ଜଣେ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର ଆହତ ହୋଇଥିବା ବେଳେ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସନତ ମିଶ୍ର ଓ ହର ପ୍ରସାଦ ଦାସଙ୍କ ଛାତିରେ ଆଘାତ ଲାଗିଥିଲା | ତଥାପି ପୋଲିସର ଆକ୍ରମଣ ଥମି ନଥିଲା| ମହିଳା ସାମ୍ବାଦିକା ବିଜୟିତା ତ୍ରିପାଠୀଙ୍କୁ ପୋଲିସ ଏତେ ଜୋରରେ ଠେଲି ଦେଇଥିଲା ଯେ ତାଙ୍କ ହାତରେ ବଡ କ୍ଷତ ସୃଷ୍ଟି ହୋଇଛି | ସଙ୍ଗେ ସଙ୍ଗେ ତାଙ୍କୁ କ୍ୟାମ୍ପ ହସ୍ପିଟାଲ ଭର୍ତ୍ତୀ କରାଯାଇଥିଲା | ସେଠାରେ ତାଙ୍କ ହାତରେ 20 ଷ୍ଟିଜ ପଡିଥିଲା | ଗିରିଧାରୀ ଲାଲ ଷଡଙ୍ଗୀ ଗୋଡରେ ଆଘାତ ହୋଇଛି | ଏ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରିବା ସହିତ ସିସି କ୍ୟାମେରା ଯାଞ୍ଚ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି |
