ଆଉ ନାହାନ୍ତି ଶେଫାଳି ଜରିୱାଲା । ବିଗ୍ ବସ୍ ପ୍ରତିଯୋଗି ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲଙ୍କର ଗତକାଲି (ଶୁକ୍ରବାର) ୪୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ସୂତ୍ର ମୁତାବକ ମୁମ୍ବାଇର ଅନ୍ଧେରି ଲୋଖଣ୍ଡୱାଲା ଅଞ୍ଚଳରେ ରହୁଥିବା ଅଭିନେତ୍ରୀଙ୍କୁ ଗତକାଲି ରାତି ପାଖାପାଖି ୧୧ ଟା ବେଳକୁ ଅସୁସ୍ଥ ହେଲା ପରି ଅନୁଭବ ହେଲା । ଛାତିରେ ଯନ୍ତ୍ରଣା ହେବା କାରଣରୁ ସ୍ବାମୀ ପରାଗ ତ୍ୟାଗି ଶେଫାଳିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କାର୍ଡିଆକ୍ ଆରେଷ୍ଟ୍ ଯୋଗୁଁ ଶେଫାଳିଙ୍କ ମୃତ୍ୟୁ ହୋଇଥିବା କଥା କହିଛନ୍ତି ଡାକ୍ତର । ଅଭିନେତ୍ରୀଙ୍କ ଶବକୁ କୁପର୍ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ୨୦୦୨ରେ ମ୍ୟୁଜିକ ଭିଡିଓ କାଣ୍ଟା ଲଗା ଗୀତ ପାଇଁ ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ । କାଣ୍ଟା ଲଗା ଗାର୍ଲ ଭାବେ ସେ ଘରେ ଘରେ ପରିଚିତ ହୋଇଥିଲେ ।
ପରବର୍ତ୍ତୀ ସମୟରେ ସେ କେତେକ ଟେଲିଭିଜନ ସିରିଏଲ ଏବଂ ବିଗ୍ ବସ୍ ଓ ନାଚ୍ ବଲିୟେ ସମେତ କେତେକ ରିୟଲିଟି ଶୋରେ ଭାଗ ନେଇଥିଲେ । ସେ ଶାରୀରିକ ଓ ମାନସିକ ଭାବେ ବେଶ୍ ସୁସ୍ଥ ଥିଲେ । ମାନସିକ ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତିକରଣର କ୍ଷେତ୍ରରେ ସେ ସଚେତନତା ସୃଷ୍ଟି କରିଥିଲେ । ତେବେ ହଠାତ ତାଙ୍କ ବିୟୋଗକୁ ପ୍ରଶଂସକ ଓ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।