ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଆଜି ଚତୁର୍ଥ ଦିବସ । ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଆଡ଼ପ ଦର୍ଶନ । ଆଜି ପ୍ରଥମ ଦିନ ହୋଇଥିବାରୁ ଭକ୍ତଙ୍କ ଅସମ୍ଭବ ଭିଡ ପରିଲିକ୍ଷିତ ହୋଇଛି । ଲମ୍ବା ବ୍ୟାରିକେଡ଼ରେ ଭକ୍ତ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରୁଛନ୍ତି ।ଆଜି ପ୍ରଥମ ଆଡ଼ପ ଅବଢ଼ା ଭକ୍ତଙ୍କୁ ମିଳିଛି । ଆଡ଼ପ ମଣ୍ଡପରେ ମହାପ୍ରଭୁ ଥିବାରୁ ଗୁଣ୍ଡିଚା ମନ୍ଦିରରେ ଯେଉଁ ଅବଢ଼ା ବାହାରେ ତାହାକୁ ଆଡ଼ପ ଅବଢ଼ା କୁହାଯାଏ । ଭକ୍ତ ମାନେ ନିଜ ପିତୃ ପୁରୁଷଙ୍କୁ ତୃପ୍ତ କରିବା ପାଇଁ ଏହି ଆଡ଼ପ ଅବଢ଼ା ବ୍ରାହ୍ମଣଙ୍କୁ ଭୋଜନ କରାଇଥାନ୍ତି । ଏହା ଛଡା ଭକ୍ତ ମାନେ ନିଜ ପରିବାର ଓ ନିଜ ବନ୍ଧୁ ମାନଙ୍କୁ ଆଡ଼ପ ଅବଢ଼ା ସେବନ କରେଇ ଥାଆନ୍ତି । ଏଣୁ ପ୍ରଥମ ଆଡ଼ପ ଅବଢ଼ା ପାଇ ଭକ୍ତ ବେଶ୍ ଖୁସି ପ୍ରକାଶ କରିଛନ୍ତି ।
ସେପଟେ ଚଳିତ ବର୍ଷ ଆଡ଼ପ ଅବଢ଼ା ମଧ୍ୟ ସ୍ବତନ୍ତ୍ର । ଜୈବିକ ଚାଉଳ (ବିନା ରାସାୟନିକ ସାରରେ ପ୍ରସ୍ତୁତ ଚାଉଳ)ରେ ଆଡ଼ପ ଅବଢ଼ା ପ୍ରଥମ କରି ପ୍ରସ୍ତୁତ କରାଯାଇଛି । ମହାପ୍ରଭୁଙ୍କ କୋଠ ଭୋଗ ସମ୍ପୂର୍ଣ୍ଣ ଜୈବିକ ଚାଉଳରେ ପ୍ରସ୍ତୁତ ହୋଇଛି ।କୋରାପୁଟର ପ୍ରଗତି ଅନୁଷ୍ଠାନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଅମୃତ ଅନ୍ନରେ ମହାପ୍ରଭୁଙ୍କ ପାଇଁ କୋଠ ଭୋଗ ସହିତ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ଆସୁଥିବା ଅଗଣିତ ଭକ୍ତମାନେ ଯେଭଳି ସୁରୁଖୁରୁରେ ଆଡପ ଅବଢ଼ା ପାଇ ପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରିଛି ନିଯୋଗ । ଉଭୟ ବରାଦି ଅବଢ଼ା ସହ ସାଧାରଣ ଭକ୍ତଙ୍କ ପାଇଁ ଆଡପ ଅବଢ଼ା ପ୍ରସ୍ତୁତ କରାଯାଇଛି । ଆଡପ ମଣ୍ଡପରେ ଆଡପ ପ୍ରସାଦ ପାଇ ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି ଭକ୍ତ । ପ୍ରଥମକରି ଜୈବିକ ଚାଉଳରେ ଭକ୍ତ ମାନଙ୍କ ପାଇଁ ପ୍ରସ୍ତୁର୍ତ୍ତ କରାଯାଇଛି ମହାପ୍ରସାଦ l