
ନୟାଗଡ଼,(ଓଡ଼ିଶା ଦର୍ପଣ):ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା ଦାବିନେଇ ଶ୍ରମିକ ସଂଗଠନ ମାନଙ୍କର ମିଳିତ ମଞ୍ଚର ଆହ୍ଵାନ କ୍ରମେ ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ କରି ନୟାଗଡ଼ ଜିଲ୍ଲା ସଦର ମହକୁମାରେ ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ହରତାଳ ପାଳନ କରାଯାଇଛି। ଜୁଲାଇ ୯ର ଏହି ଆନ୍ଦୋଳନ ମୋଦି ସରକାରର ମନମାନି ତଥା ଶ୍ରମିକ -କୃଷକ ବିରୋଧୀ ପଦକ୍ଷେପ ବିରୋଧରେ ସାଧାରଣ ଜନତାର ଦୁର୍ବାର ରଣହୁଙ୍କାର ବୋଲି ବିକ୍ଷୋଭକାରୀ ଶ୍ରମିକ ନେତା ମାନେ ମତବ୍ୟକ୍ତ କରିଥିଲେ । ନୟାଗଡ଼ର ପ୍ରମୁଖ ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟରେ ସତ୍ୟାଗ୍ରହୀମାନେ ପିକେଟିଙ୍ଗ୍ କରି ବନ୍ଦ କରିଥିଲେ। ଶହଶହ ମଧ୍ୟାହ୍ନ ଭୋଜନ ପାଚିକା, ଆଶାକର୍ମୀ, ବିଦ୍ୟୁତ କର୍ମଚାରୀ, ନିର୍ମାଣ ଶ୍ରମିକ, କୃଷକ ନୟାଗଡ଼ ପୂର୍ତ୍ତ ଡ଼ାକବଙ୍ଗଳା ଠାରୁ ପଟୁଆରରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବସିରହିଥିଲେ। ସିଆଇଟିୟୁର ନେତା ସରୋଜିନୀ ସାହୁ, କୁଳମଣି ପୃଷ୍ଟି, ବୁଦ୍ଧି ନାୟକ, ବିଭୁତି ପଟ୍ଟନାୟକ,ବବଲୁ ଦାସ,ଏଆଇଟିୟୁସି ନେତା ଆଡଭୋକେଟ ଅମୀୟ ପଟ୍ଟନାୟକ, ବିଦ୍ୟୁତ କର୍ମଚାରୀ ନେତା କମଳେଶ ଦାସ ପ୍ରମୁଖ ଆଲୋଚନାରେ ନେତୃତ୍ବ ନେଇ ମୋଦି ସରକାରର ଘରୋଇକରଣ ନୀତି, କର୍ପୋରେଟ ସପକ୍ଷବାଦୀ ଅର୍ଥନୀତି, ବେକାରୀ ବୃଦ୍ଧିର କଟୁ ସମାଲୋଚନା କରିଥିଲେ।