ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ପୁଣି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଏହି ଖବର ରାଜ୍ୟ ରାଜନୀତିରେ ଏକ ହଲଚଲ ସୃଷ୍ଟି କରିଛି। ଯାହା ବିଜେଡି ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି।ଗତକାଲି ବିଜେଡ଼ିରୁ ଇସ୍ତଫା ଦେଇଥିଲେ, ଆଉ ଆଜି କଂଗ୍ରେସରେ ସୁନୀତା ମିଶିଛନ୍ତି । ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଲେ ସୁନୀତା ବିଶ୍ବାଳ ।୨୦୧୯ ସାଧାରଣ ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ । କିନ୍ତୁ ଜୁଏଲ ଓରାମଙ୍କ ଠାରୁ ପରାସ୍ତ ହୋଇଥିଲେ । କିନ୍ତୁ ଗତକାଲି ହଠାତ୍ ସେ ଦଳର ସୁପ୍ରିମୋଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲେ ।
ସୁନୀତା ବିଶ୍ବାଳଙ୍କ ଭଉଣୀ ଅମିତା କହିଛନ୍ତି, “ମୋ ଭଉଣୀ ନିଜ ଘରକୁ ଫେରିଛନ୍ତି। ଏଥର କଂଗ୍ରେସ ସୁଦୃଢ ହେବ। ବିଜେଡିରେ ସେ ଅଣଦେଖାର ଶିକାର ହୋଇଥିଲେ। ଯାହାକୁ ନେଇ ସେ ବିଜେଡି ଛାଡିଛନ୍ତି। ମୁଁ କଂଗ୍ରେସରୁ ପ୍ରାର୍ଥୀ, ମୋ ଭଉଣୀ ବିଜେଡିରେ। ଯାହାକୁ ନେଇ ଭୋଟର ଅନେକ ପ୍ରଶ୍ନ କରିଥିଲେ। ମୁଁ ଫିଲ୍ଡ ଗଲା ବେଳେ ଏହି ପ୍ରଶ୍ନର ସାମ୍ନା କରୁଥିଲି। ଏବେ ତାହାର ଅବସାନ ହୋଇଛି।”