ସୌମ୍ୟଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା । ଏଥିରେ ବିଜେଡ଼ିର ହଜାର ହଜାର କର୍ମୀ ଶାନ୍ତିପୂର୍ଣ୍ଣ ଭାବରେ ଲୋୟର ପିଏମଜି ଠାରେ ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ଉପରେ ପୁଲିସର ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡ଼ା ଭାଷା ରେ ନିନ୍ଦା କରିଛନ୍ତି । ତେବେ ଗୋଟେ ପଟେ ଲୋୟର ପିଏମଜିରେ ବିଜେଡି ବିଜେପି ସରକାରଙ୍କ ବିରୋଧରେ ନାରାବାଜି ଲଗାଉଥିବା ବେଳେ ଅନ୍ୟପଟେ ବିନା ପ୍ରସ୍ତୁତିରେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା ଯୁବ କଂଗ୍ରେସ । ପୋଲିସ ପାଇଁ ଯଦିଓ ବିଜେଡିର ପ୍ରତିବାଦ ଖବର ପୂର୍ବରୁ ଥିଲା ମାତ୍ର ଯୁବ କଂଗ୍ରେସର ଅତର୍କିତ ଆଗମନ ପୋଲିସ ପାଇଁ ଆଉଟ୍ ଅଫ୍ ସିଲାବସ୍ ଥିଲା । ତେବେ ଯୁବ କଂଗ୍ରେସ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଏବଂ ମୋହନ ସରକାରଙ୍କୁ ନିଦରୁ ଉଠାଇବା ପାଇଁ ବାଜା ବଜାଇ ଗୀତ ଗାଇ ପ୍ରତିବାଦ କରାଯାଉଥିବା କହିଛନ୍ତି ଯୁବ କଂଗ୍ରେସର ଜଣେ କର୍ମୀ । ତେଣେ ବାମପନ୍ଥୀ ଦଳ ମଧ୍ଯ ହଠାତ୍ ଆସି ଲୋୟର ପିଏମଜିରେ ନାରାବାଜି ଲଗାଇଛନ୍ତି ।
