ପୁଣି ଥରେ ଆଇଏମ୍‌ଡି ଡିଜି ହେଲେ ଡ. ମୃତ୍ୟୁଞ୍ଜୟ ମହାପାତ୍ର

IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ଭାବେ ପୁଣି ଥରେ ନିଯୁକ୍ତି ପାଇଛନ୍ତି ଡ. ମୃତ୍ୟୁଞ୍ଜୟ ମହାପାତ୍ର । ସାଇକ୍ଲୋନମ୍ୟାନ୍‌ ଭାବେ ପରିଚିତ ତଥା ଓଡ଼ିଆ ପୁଅ ଶ୍ରୀ ମହାପାତ୍ର ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ କାର୍ଯ୍ୟ କରୁଥିଲେ । ତାଙ୍କ ନିଯୁକ୍ତି ଅବଧି ସରୁଥିବାରୁ କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି ବ୍ୟାପାର କମିଟି ତାଙ୍କୁ ପୁନଃ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରି ଦେଇଛି । କେନ୍ଦ୍ର ପୃଥ୍ୱୀ ବିଜ୍ଞାନ ମନ୍ତ୍ରାଳୟ ଅଧୀନରେ ଆସୁଥିବା ଆଇଏମ୍‌ଡିର ଡିଜି ଭାବେ ଆସନ୍ତା ଦୁଇ ବର୍ଷ ପାଇଁ ସେ କାର୍ଯ୍ୟ କରିବେ ।ଭାରତୀୟ ପାଣିପାଗ ବିଭାଗରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କର ରହିଛି ବେଶ୍ ଉଲ୍ଲେଖନୀୟ ଅବଦାନ। ପ୍ରଥମ ଓଡ଼ିଆ ଭାବେ ମୃତ୍ୟୁଞ୍ଜୟ ମହାପାତ୍ର ୨୦୧୯ରେ ଆଇଏମଡି ମହାନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଥିଲେ। ଏହି ପଦ ଗ୍ରହଣ କରିବା ପୂର୍ବରୁ ସେ ଭାରତୀୟ ପାଣିପାଗ ବିଭାଗର ଏଡିଜି ସହ ସାଇକ୍ଲୋନ୍ ଓ୍ୱାର୍ଣ୍ଣିଂ ବିଭାଗର ମୁଖ୍ୟ ଥିଲେ। ମୃତ୍ୟୁଞ୍ଜୟ ନିଜ କାର୍ଯ୍ୟକାଳରେ ଫାଇଲିନ, ତିତଲି ଓ ଲୁବନା ପରି ଅନେକ ବାତ୍ୟାର ମାର୍ଗ ସଠିକ୍‌ ଭାବେ ଆକଳନ କରିଥିଲେ । ୧୯୯୯ ମସିହାର ମହାବାତ୍ୟା ସମୟରେ ସେ ଭୁବନେଶ୍ୱର ସ୍ଥିତ ଆଇଏମଡି କାର୍ଯ୍ୟାଳୟର ସାଇକ୍ଲୋନ ୱାର୍ଣ୍ଣିଂ ଡିଭିଜନରେ କାର୍ଯ୍ୟ କରୁଥିଲେ । ରାଜଧାନୀ ଦିଲ୍ଲୀ ସ୍ଥିତ ଆଇଏମଡି କାର୍ଯ୍ୟାଳୟକୁ ବଦଳି ହେବା ପରେ ସେ ମୁଖ୍ୟତଃ ବାତ୍ୟାଗୁଡ଼ିକର ମାର୍ଗର ସଠିକ୍‌ ଆକଳନ କରିବା ଏବଂ ଏସମ୍ପର୍କିତ ଅନ୍ୟ ତଥ୍ୟ ନିର୍ଦ୍ଧାରଣରେ ନିୟୋଜିତ ହୋଇଥିଲେ । ସେ ପ୍ରାୟ ୪୦ରୁ ଅଧିକ ବାତ୍ୟା ଉପରେ ନଜର ରଖିଥିଲେ ।

ଅଧିକ ପଢନ୍ତୁ