ଘରୁ ଟଙ୍କା ମିଳିବା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ଯଶଓ୍ବନ୍ତ ବର୍ମାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ତାଙ୍କୁ ଦୋଷୀ ବୋଲି ଦର୍ଶାଇଥିବା ତଦନ୍ତ କମିଟିର ରିପୋର୍ଟ ଏବଂ ପ୍ରଧାନ ବିଚାରପତିଙ୍କ ଦ୍ଵାରା ପଦବୀରୁ ତତ୍କାଳ ହଟାଯିବା ଲାଗି ସୁପାରିସକୁ ଚ୍ୟାଲେଞ୍ଜ କରି ବର୍ମା ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ। ତଦନ୍ତ କମିଟି ଧାର୍ଯ୍ୟ ପ୍ରକ୍ରିୟାର ଅନୁପାଳନ କରିଥିବା ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟ ପିଟିସନକୁ ଖାରଜ କରିଦେଇଥିଲେ।ସୁପ୍ରିମକୋର୍ଟ କହିଛନ୍ତି ଯେ ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ଆଚରଣ ଆତ୍ମବିଶ୍ୱାସ ସୃଷ୍ଟି କରେ ନାହିଁ, ତେଣୁ ତାଙ୍କ ଆବେଦନ ଉପରେ ବିଚାର କରାଯିବା ଉଚିତ ନୁହେଁ।ଜଷ୍ଟିସ ବର୍ମା ତାଙ୍କ ଆବେଦନରେ ଦାବି କରିଥିଲେ ଯେ ଆଭ୍ୟନ୍ତରୀଣ ତଦନ୍ତ ପ୍ରକ୍ରିୟା ଅସାମ୍ବିଧାନିକ ଏବଂ ଏହା ସଂସଦର ବିଶେଷାଧିକାରକୁ କ୍ଷୁର୍ଣ୍ଣ କରେ, କାରଣ ସମ୍ବିଧାନର ଧାରା ୧୨୪ ଏବଂ ୨୧୮ରେ ଉଲ୍ଲେଖ ଥିବା ଅନୁଯାୟୀ କେବଳ ସଂସଦର ବିଚାରପତିମାନଙ୍କୁ ହଟାଇବାର ଅଧିକାର ଅଛି।ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପୂର୍ବତନ ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା କମିଟିର ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଇ ତାଙ୍କ ଦାୟିତ୍ୱ ନିର୍ବାହ କରିଛନ୍ତି।
କୋର୍ଟ କହିଥିଲେ, ‘ସିଜେଆଇ କେବଳ ଏକ ପୋଷ୍ଟ ଅଫିସ ନୁହେଁ। ଯଦି ଜଣେ ବିଚାରପତିଙ୍କ ବିରୁଦ୍ଧରେ ଅଭିଯୋଗର ପ୍ରମାଣ ଅଛି, ତେବେ ଏହାକୁ ସରକାରଙ୍କୁ ଜଣାଇବା ତାଙ୍କର କର୍ତ୍ତବ୍ୟ।’ସୂଚନାଯୋଗ୍ୟ, ଜଷ୍ଟିସ ବର୍ମାଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଗତ ମାର୍ଚ୍ଚ ୧୪ ତାରିଖରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ସମୟରେ ବର୍ମା ଘରେ ନ ଥିଲେ। ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବା ସମୟରେ ଘର ଭିତରୁ ବିପୁଳ ପରିମାଣର ପୋଡ଼ିଯାଇଥିବା ବିଡ଼ା ବିଡ଼ା ଟଙ୍କା ମିଳିଥିଲା।
