ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରକୁ ଜନଶୁଣାଣି ସମୟରେ ଆକ୍ରମଣ ହୋଇଥିବା ଖବର ଆସିଛି । ମୁଖ୍ୟମନ୍ତ୍ରୀଙ୍କ ସିଭିଲ ଲାଇନ୍ସ ସ୍ଥିତ ସରକାରୀ ବାସଭବନରେ ଆୟୋଜିତ ଜନଶୁଣାଣିରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ୩୫ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଥିବାବେଳେ ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି । ଜନଶୁଣାଣିବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଶୁଣାଇବାକୁ ଆସିଥିବା ଯୁବକ ଚାପୁଡ଼ା ମାରିଥିଲେ ।ତେବେ ସେ କେଉଁ ଉଦ୍ଦେଶ୍ୟ ରଖି ମୁଖମନ୍ତ୍ରୀଙ୍କୁ ଆକ୍ରମଣ କରିଛନ୍ତି ତାହା ଜଣାପଡ଼ି ନାହିଁ ।ଘଟଣାକୁ ନେଇ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ କହିଛନ୍ତି, ”ସିଏମ୍ ରେଖା ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ବହୁତ ଦୁଃଖଦ । ଏହାକୁ ମୁଁ ନିନ୍ଦା କରୁଛି । ସିଏମ୍ ପୁରା ଦିଲ୍ଲୀର ନେତୃତ୍ୱ ନିଅନ୍ତି । ଏ ପ୍ରକାର ଘଟଣାକୁ ଯେତେ ନିନ୍ଦା କଲେ କମ୍ । ଏହା ସହିତ ଘଟଣା ଦିଲ୍ଲୀରେ ମହିଳା ସୁରକ୍ଷାର ପୋଲ୍ ବି ଖୋଲିଛି । ଯଦି ମୁଖ୍ୟମନ୍ତ୍ରୀ ସୁରକ୍ଷିତ ନାହାନ୍ତି ତେବେ ସାଧାରଣ ଜନତା କିମ୍ବା ମହିଳା କିପରି ସୁରକ୍ଷିତ ରହିବେ ।”
