ଆମେରିକା ପରିବହନ ସଚିବ ସିନ୍ ଡଫିଙ୍କ ବୟାନ । ଆମେରିକାରେ ବିମାନ ଉଡ଼ାଣ ବନ୍ଦ ପଛରେ ରହିଛି ପୁରୁଣା ଟେକ୍ନୋଲୋଜି! ରାଡାର ଓ ଯୋଗାଯୋଗ ବ୍ୟବସ୍ଥାରେ ତ୍ରୁଟି ନେଇ ବଡ଼ ଖୁଲାସା ।ବିଭିନ୍ନ ବିମାନବନ୍ଦରରେ ହଜାର ହଜାର ଯାତ୍ରୀ ଫସି ରହିବା ସହ ଦେଖାଦେଇଛି ଅଚଳାବସ୍ଥା । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ବ୍ୟବସ୍ଥାରେ ଯୋଗାଯୋଗଜନିତ ସମସ୍ୟା ଦେଖାଦେବା ପରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେରିକାର ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଦେଶବ୍ୟାପୀ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଇଥିଲା ।ତେବେ ସମସ୍ତ ରାଡାର କିମ୍ବା TRACON ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଚଳ ହୋଇନଥିଲା । କେତେକ ବ୍ୟବସ୍ଥା କାର୍ଯ୍ୟକ୍ଷମ ଥିଲେ ମଧ୍ୟ ତଥ୍ୟ ଓ ଯୋଗାଯୋଗରେ ଅସ୍ଥିରତା ଯୋଗୁଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା । ଏହି ସମୟରେ ଜୀବନ ରକ୍ଷାକାରୀ ଜରୁରୀ ବିମାନ ସେବାକୁ ଅନୁମତି ଦେବାର ବ୍ୟବସ୍ଥା ରଖାଯାଇଥିଲା । ରୋଗୀ ପରିବହନ, ଜରୁରୀ ଔଷଧ ନେଉଥିବା କାର୍ଗୋ ବିମାନ ଏବଂ ଆଇନଶୃଙ୍ଖଳା ସମ୍ପର୍କିତ ଆବଶ୍ୟକ ଉଡ଼ାଣକୁ ଚାଲୁ ରଖିବା ପାଇଁ ପଦକ୍ଷେପ ନିଆଯାଇଥିଲା । ଏହି ଘଟଣା ପରେ ଆମେରିକାର ପୁରୁଣା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।ଫ୍ଲାଇଟ୍ ଟ୍ରାକିଂ ସଂସ୍ଥା FlightRadar24ର ତଥ୍ୟ ଅନୁସାରେ, ଶୁକ୍ରବାର ପ୍ରାୟ ୪ ହଜାର ୭୦୦ ବିମାନର ଉଡ଼ାଣ ବାତିଲ୍ ହୋଇଥିବାବେଳେ ପ୍ରାୟ ୧୦ ହଜାର ବିମାନ ବିଳମ୍ବିତ ହୋଇଥିଲା । ଏହାର ପ୍ରଭାବ ପରଦିନର ବିମାନ ସୂଚୀ ଉପରେ ମଧ୍ୟ ପଡ଼ିବା ଆଶଙ୍କା କରାଯାଇଥିଲା ।ଏପରିକି ଆମେରିକାରେ ଘରୋଇ ବିମାନ ଚଳାଚଳ ସହ ମାଲ ପରିବହନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି । ଯାତ୍ରୀଙ୍କ ଅସୁବିଧାକୁ ଦେଖି United ଓ Delta ଭଳି ବିମାନ କମ୍ପାନୀ ଟିକେଟ୍ ପୁନଃନିର୍ଦ୍ଧାରଣ ପାଇଁ ଅତିରିକ୍ତ ଶୁଳ୍କ ଛାଡ଼ ଭଳି ସୁବିଧା ଘୋଷଣା କରିଛନ୍ତି ।
