ଲୋକଙ୍କ ଜୀବନ ସହ ସାଙ୍ଘାତିକ ଖେଳ । ଚଟପଟା ଗୁପଚୁପ ନାଁରେ ପରସା ଯାଉଛି ବିଷ । କଟକ ସିଡିଏ ବସ୍ତି ଅଞ୍ଚଳରେ ଗୁପଚୁପ ପ୍ରସ୍ତୁତ ହେଉଥିବା ସ୍ଥାନକୁ ଦେଖିଲେ ଏମିତି ଅନୁମେୟ ହୁଏ । ଏଭଳି ଅସ୍ୱାସ୍ଥ୍ୟକର ସ୍ଥାନରେ ତିଆରି ଚାଲିଥିଲା ଗୁପଚୁପ । ନା ଅଛି ପରିଷ୍କାର ପରିଚ୍ଛନ୍ନତା, ନା ଅଛି କୌଣସି ଖାଦ୍ୟ ସୁରକ୍ଷାର ମାନଦଣ୍ଡ । ଅପରିଷ୍କାର ଓ ଦୁର୍ଗନ୍ଧମୟ ପରିବେଶରେ ତିଆରି ହେଉଥିଲା ହଜାର ହଜାର ଗୁପଚୁପ । ନିମ୍ନମାନର ତେଲ ସହିତ ବ୍ଯବହାର ହୋଇଥିଲା କେମିକାଲ ନାଲି ରଙ୍ଗ । ଘଟଣାସ୍ଥଳରୁ ପ୍ରସ୍ତୁତ ଗୁପଚୁପ, ତେଲ, ରଙ୍ଗ ଜବତ କରି ନଷ୍ଟ କରିଛି ପ୍ରଶାସନ । କେଏମସି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ଗୁପଚୁପ୍ ବ୍ୟବସାୟୀଙ୍କ ଉପରେ ଯାଞ୍ଚ କରାଯିବା ସହ ଅପମିଶ୍ରିତ ଗୁପଚୁପ୍ ଓ ତିଆରି ସାମଗ୍ରୀକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଛି । ପୂର୍ବରୁ ତାଗିଦ ଦିଆଯାଇଥିଲେ ମଧ୍ୟ ବ୍ୟବସାୟୀ ମାନେ ନିୟମ ମାନୁନଥିବା ଦେଖିବାକୁ ମିଳିଛି ।
