ଗିରଫ ହେଲେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ (ସିଡିଏମ୍ଓ)ର ବରିଷ୍ଠ କିରାଣୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିଶୋର ସାହାଣୀଙ୍କୁ ଗିରଫ କଲା ଭିଜିଲାନ୍ସ। ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ଗତକାଲି କିଶୋର କୁମାର ସାହାଣୀଙ୍କର ଯୋବ୍ରା ନୂଆସାହିରେ ତିନିମହଲା ବାସଭବନ, ଚୌଦ୍ୱାର ପାଳସିଆସ୍ଥିତ ଅନ୍ୟ ଏକ ଘର ଓ କୁକୁଡ଼ା ଫାର୍ମ, କଟକସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ, ତୁଳସୀପୁରସ୍ଥିତ ଶ୍ୱଶୁର ଘର ଓ କିଶୋରନଗର ଥାନା ଅନ୍ତର୍ଗତ ଉତ୍ତରକୂଳରେ ଅବସ୍ଥିତ ଶ୍ରୀ ସାହାଣୀଙ୍କ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କର ୨ଟି କୋଠା, ୧୯ଟି ମୂଲ୍ୟବାନ୍ ପ୍ଲଟ୍, ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା , ୧୩୫ ଗ୍ରାମ୍ ସୁନା ଏବଂ ୫୫.୪୮ ଲକ୍ଷ ଟଙ୍କାର ଡିପୋଜିଟ୍ ଠାବ ହୋଇଥିଲା।ବାବୁଙ୍କୁ ଗତ ଜୁଲାଇ ମାସରେ ୧ କୋଟି ୨୪ ଲକ୍ଷ ଟଙ୍କା ସରକାରୀ ଅର୍ଥରାଶିର ହେରଫେର ଅଭିଯୋଗରେ ନିଲମ୍ବନ କରାଯାଇଥିଲା । ଠିକ୍ ମାସକ ପରେ ଶୁକ୍ରବାର ତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହେବା ପରେ ଅମାପ ସମ୍ପତ୍ତି ଠାବ ହୋଇଛି । ସରକାରୀ ଟଙ୍କା ଆତ୍ମସାତ୍ ଅଭିଯୋଗର ତଦନ୍ତ ଚାଲିଥିବା ବେଳେ କିଶୋରଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ୍ ହୋଇଯାଇଛନ୍ତି ।
