ଓଡ଼ିଶା ଯାତ୍ରୀ ଆପ୍ର କଳେବର ବଢ଼ାଇଛି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଏଣିକି ଏହି ଆପ୍ ମାଧ୍ୟମରେ ଆମ ବସ୍ ଏବଂ ସାତପଡ଼ାରେ ଚିଲିକା ବୋଟିଂ ନିମନ୍ତେ ଟିକେଟ୍ କିଣିପାରିବେ । ପର୍ଯ୍ୟଟକ ଏବଂ ଯାତ୍ରୀଙ୍କ ଅନୁଭବକୁ ଅଧିକ ସୁଖକର ଏବଂ ସହଜ କରିବା ଉଦ୍ଦେଶ୍ୟରେ ଏହି ନୂତନ ସୁବିଧାକୁ ଆପ୍ରେ ଅନ୍ତର୍ଭୁକ୍ତ କରାଯାଇଛି ।ସମସ୍ତ ଆଣ୍ଡରୋଏଡ୍ ପ୍ଳାଟଫର୍ମରେ ଏହି ଆପ୍ ଉପଲବ୍ଧ ହୋଇସାରିଥିବା ବେଳେ ଆଇଓଏସ୍ ରେ ନିକଟରେ ଭବିଷ୍ୟତରେ ଉପଲବ୍ଧ ହେବ । ଏହା ସହିତ ଯାତ୍ରୀଙ୍କ ମତାମତକୁ ଭିତ୍ତିକରି ଟିକେଟ୍ ବୁକିଂ ବ୍ୟବସ୍ଥାରେ ମଧ୍ୟ ଆବଶ୍ୟକ ସୁଧାର ଅଣାଯିବ ।
ଓଡ଼ିଶା ଯାତ୍ରୀ କେବଳ ଏକ ଡିଜିଟାଲ ସେବା ନୁହଁ, ଯାତ୍ରୀଙ୍କୁ ସାର୍ବଜନୀନ, ଟେକ୍ନୋଲୋଜି ଭିତ୍ତିକ, ତ୍ରୁଟିଶୂନ୍ୟ ସେବା ଯୋଗାଇ ଦେବାର ସଂକଳ୍ପ ବୋଲି କହିଛନ୍ତି ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ । ଏହି ଡିଜିଟାଲ ପ୍ଳାଟଫର୍ମ ସହାୟତାରେ ବସ୍ ସେବା ଏବଂ ବୋଟିଂ ଗୋଟିଏ କ୍ଳକ୍ରେ ଉପଲବ୍ଧ ହୋଇପାରିବ ।