ଉତ୍ତର ପ୍ରଦେଶର ହରଦୋଇ ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସୋସିଆଲ ମିଡିଆରେ ରିଲ୍ସ ଦେଖି ୭ ବର୍ଷ ଧରି ନିଖୋଜ ତାଙ୍କ ସ୍ବାମୀଙ୍କ ବିଷୟରେ ଜାଣିବାକୁ ପାଇଛନ୍ତି। ତାଙ୍କ ସ୍ବାମୀ ଅନ୍ୟ ମହିଳାଙ୍କ ସହିତ ରିଲ କରୁଥିବାବେଳେ ଏଠାରେ ମହିଳା ଜଣକ ଗତ ୭ ବର୍ଷ ଧରି ତାଙ୍କ ସ୍ବାମୀଙ୍କୁ ମନେ ପକାଇ ଲୁହ ଗଡ଼ାଉଛନ୍ତି।ଜିତେନ୍ଦ୍ର କୁମାର ଓରଫ ବବଲୁ ନାମକ ଜଣେ ବ୍ୟକ୍ତି ୨୦୧୮ ମସିହାରୁ ନିଖୋଜ ହୋଇଯାଇଥିଲେ। ନିଖୋଜ ହେବା ପୂର୍ବରୁ, ୨୦୧୭ ମସିହାରେ ତାଙ୍କର ଶୀଲୁ ନାମକ ଜଣେ ଯୁବତୀଙ୍କ ସହ ତାଙ୍କର ବିବାହ ହୋଇଥିଲା। କିନ୍ତୁ ଉଭୟଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ଅଭିଯୋଗ ଅନୁଯାୟୀ, ଜିତେନ୍ଦ୍ର ଶୀଲୁଙ୍କୁ ଯୌତୁକ, ସୁନାର ଚେନ୍ ଏବଂ ମୁଦି ପାଇଁ ନିର୍ଯାତନା ଦେଇଥିଲେ ଏବଂ ଶେଷରେ ଯୌତୁକର ଦାବି ପୂରଣ ନ ହେବାରୁ ତାଙ୍କୁ ଘରୁ ବାହାର କରି ଦେଇଥିଲେ। ଶୀଲୁ ଏହାପରେ ଏକ ଅଭିଯୋଗ ଦାଖଲ କରିଥିଲେ।ମାମଲାର ତଦନ୍ତ ଚାଲିଥିବା ବେଳେ ଜିତେନ୍ଦ୍ର ହଠାତ୍ ନିଖୋଜ ହୋଇଗଲେ। ତାଙ୍କୁ ଖୋଜିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ତାଙ୍କର କୌଣସି ସୂଚନା ମିଳିଲା ନାହିଁ। ଏହାପରେ ୨୦୧୮ ମସିହା ଏପ୍ରିଲ ୨୦ ତାରିଖରେ ତାଙ୍କ ପିତା ଏକ ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ପୁଲିସ୍ ଖୋଜାଖୋଜି କରିବା ସତ୍ତ୍ୱେ ଜିତେନ୍ଦ୍ରଙ୍କର କୌଣସି ସୂଚନା ମିଳିଲା ନାହିଁ। ତେଣୁ ତାଙ୍କ ପରିବାର ଶୀଲୁଙ୍କ ଉପରେ ତାଙ୍କୁ ହତ୍ୟା କରି ଶବ ଗାୟବ କରିଦେଇଥିବା ଅଭିଯୋଗ ଲଗାଇଥିଲେ। ସେତେବେଳୁ ଏଯାଏ ଜିତେନ୍ଦ୍ରଙ୍କର କୌଣସି ସୂଚନା ମିଳି ନଥିଲା।ଶୀଲୁ କହିଛନ୍ତି, ସେ ତାଙ୍କ ସ୍ବାମୀଙ୍କ ଫେରିବା ପାଇଁ ସମସ୍ତ ଆଶା ଛାଡି ଦେଇଥିଲେ। କିନ୍ତୁ ଗୋଟିଏ ଦିନ ମୋବାଇଲରେ ରିଲ ଦେଖୁଥିବା ସମୟରେ ତାଙ୍କ ପାଦ ତଳୁ ମାଟି ଖସିଗଲା। ବବଲୁଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହିତ ଦେଖିଥିଲେ। ସେ ଆମ ସମସ୍ତଙ୍କୁ ବୋକା ବନାଇ ଲୁଧିଆନାରେ ଅନ୍ୟ ଜଣେ ମହିଳାଙ୍କ ସହିତ ଭଲ ଜୀବନ ବିତାଉଛନ୍ତି। ସେ ଏହି ସୂଚନା ପୁଲିସ୍କୁ ଦେଇଥିଲେ। ପୁଲିସ୍ ତଦନ୍ତ ଆରମ୍ଭ କରିବାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଲା।
ପୁଲିସ୍ ତଦନ୍ତରୁ ଜଣାପଡ଼ିଲା ଯେ ଜିତେନ୍ଦ୍ର ଏକ ଷଡ଼ଯନ୍ତ୍ର ରଚି ନିଜେ ନିଖୋଜ ହେବାର ନାଟକ କରିଥିଲେ। ସେ ଲୁଧିଆନା ଚାଲିଯାଇ ସେଠାରେ ଜଣେ ଅନ୍ୟ ମହିଳାଙ୍କ ସହ ବିବାହ କରି ନୂଆ ଜୀବନ ଆରମ୍ଭ କରିଥିଲେ। ସେ ବର୍ଷ ବର୍ଷ ଧରି ଏହିପରି ଜୀବନ ଯାପନ କରୁଥିଲେ, କିନ୍ତୁ ଏକ ଭାଇରାଲ ରିଲ୍ ତାଙ୍କ ଷଡ଼ଯନ୍ତ୍ରରୁ ପରଦା ହଟାଇ ଦେଇଥିଲା। ପୁଲିସ୍ ଜିତେନ୍ଦ୍ରଙ୍କୁ ହେପାଜତରେ ନେଇଛି। ତାଙ୍କ ବିରୁଦ୍ଧରେ ଦ୍ୱିତୀୟ ବିବାହ, ପ୍ରତାରଣା ଏବଂ ଯୌତୁକ ନିର୍ଯାତନା ସହ ଜଡ଼ିତ ଅନେକ ଧାରାରେ ମାମଲା ରୁଜୁ କରାଯାଇଛି।