ସେପ୍ଟେମ୍ବର ୯ ତାରିଖରେ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ହେଲେ ଏଯାଏଁ ନିର୍ବାଚନକୁ ନେଇ ନବୀନ ନୀରବ । ବିଜେଡି ଏଥର ଉପରାଷ୍ଟ୍ରପତି ନିର୍ବାଚନରେ କାହାକୁ ସପୋର୍ଟ କରିବ ଆଉ କାହାକୁ ବିରୋଧ କରିବ, ତା ଏଯାଏଁ ସ୍ପଷ୍ଟ ହେଇନି । ଦଳର କୌଣସି ନେତା ଏ ନେଇ କିଛି କହିପାରୁନାହାନ୍ତି । ସାଂସଦମାନେ ବି ମୁହଁ ଖୋଲୁନାହାନ୍ତି । ଯାହାକୁ ପଚାରିଲେ, ସମାନ ଉତ୍ତର-ଠିକ୍ ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ । ସମ୍ଭବତଃ ଶେଷ ମୂହୂର୍ତ୍ତରେ ଦଳ ଏ ନେଇ କିଛି ଘୋଷଣା କରିପାରେ । ରାଜନୈତିକ ବିଶ୍ଳେଷକଙ୍କ ମତରେ ନବୀନଙ୍କ ପାଇଁ ଏଥର ନିଷ୍ପତ୍ତି ଏତେ ସହଜ ନୁହେଁ । ପୂର୍ବରୁ ଅନେକ ପ୍ରସଙ୍ଗରେ ନବୀନ ବିଜେପିକୁ ସମର୍ଥନ ଦେଇଛନ୍ତି । ହେଲେ ଏବେ କିନ୍ତୁ ବିଜେପିକୁ ସମର୍ଥନ ଦେବା ଦଳ ପାଇଁ ଅସୁବିଧାର କାରଣ ହେଇପାରେ । କାହିଁକି ନା ବିଜେପି ହିଁ ହେଉଛି ସେହି ଦଳ, ଯିଏ ନବୀନ ସରକାରକୁ ସତ୍ତାରୁ ହଟେଇ, ଏବେ ଶାସନ ଅକ୍ତିଆର କରିଛି । ଅନ୍ୟପଟେ ପ୍ରଧାନମନ୍ତ୍ର ମୋଦୀଙ୍କ ସହିତ ନବୀନଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ବଢିଛି । ନବୀନ ଯେତେବେଳେ ଅସୁସ୍ଥ ହେଲେ, ସେତେବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ସହ ଫୋନରେ କଥା ହୋଇଛନ୍ତି । ତେଣୁ ସବୁଆଡୁ ବୁଝି ବିଚାରି ନବୀନ ଶେଷରେ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି ।କିଛି ମାସ ପୂର୍ବରୁ ସଂସଦରେ ୱାକଫ ବିଲ୍ ଭୋଟକୁ ନେଇ ବିଜେଡି ଦଳ ଭିତରେ ଯେଉଁଭଳି ବିଦ୍ରୋହ, କନ୍ଦଳ ଓ ବୟାନବାଜି ଦେଖିବାକୁ ମିଳିଲା, ପୂର୍ବରୁ କେବେ ସେମିତି ହୋଇନଥିଲା । ତେଣୁ ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ସାଂସଦମାନେ କାହାକୁ ସମର୍ଥନ ଦେବେ, ତାହା ସବୁଠୁ ଦେଖିବାର କଥା ।
