ଆସନ୍ତା କାଲି ବାମନ ଜନ୍ମ, ଏହି କାରଣରୁ ପୁରୀ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି । ଏହାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆସନ୍ତା କାଲି ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି ।ସନ୍ଧ୍ୟା ୫ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ଏହି ସମୟ ମଧ୍ୟରେ ମନ୍ଦିର ଭିତରକୁ କୌଣସି ସାଧାରଣ ଲୋକଙ୍କୁ ଛଡ଼ାଯିବ ନାହିଁ । ସେହିପରି ଗତକାଲି ଗଜପତି ମହାରାଜଙ୍କର ୬୯ ଅଙ୍କ ଆରମ୍ଭ ହେବ । ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବ । କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ ଓ ନୃସିଂହଙ୍କୁ ପୁଜାର୍ଚ୍ଚନା କରିବେ ଗଜପତି । ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହେବ। ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନୀତି ସମ୍ପାଦନ କରାଯିବ । ଏ ଅବସରରେ ଶ୍ରୀନଅର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୂଦ୍ରା ପ୍ରଚଳନ କରାଯିବ । ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବାଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ଏହାକୁ ଘୋଷଣା କରିବେ ।
