ସମ୍ବଲପୁରରେ ଫୁଟିଲା ଉତ୍ତର ଆମେରିକୀୟ ଫୁଲ ୟୁଷ୍ଟୋମା । ଅନେକ ଦେଶରେ ଏହି ଫୁଲର ରହିଛି ଡିମାଣ୍ଡ । ଏହା ଅଧିକ ଦିନ ଧରି ତାଜା ରହିବା ସହିତ ଆକର୍ଷଣୀୟ ଫୁଲ ମଧ୍ୟରେ ଅନ୍ୟତମ । ଜିଲ୍ଲାର ଯୁଯୁମୁରା ବ୍ଲକ ସନାତନପାଲିରେ ଏହି ବିଦେଶୀ ଫୁଲ ଫୁଟିଛି । ଅନ୍ତର୍ଜାତୀୟ ଫୁଲ ବଜାରରେ ଚାହିଦାରେ ଥିବା ଫୁଲ ଫୁଟିବା ପରେ ଚାଷୀଙ୍କ ମନରେ ଉତ୍ସାହ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏହି ଚାଷକୁ ପ୍ରୋତ୍ସାହନ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ମୁଖ୍ୟତଃ ଗତ ଏପ୍ରିଲ ମାସରେ CSIR, National Botanical Research Institute, Lucknow ର ସହାୟତାରେ “ସବୁଜ ସନାତନପାଲି” ଏଫପିଓକୁ ୟୁଷ୍ଟୋମା ଫୁଲର 2000 ଚାରା ପ୍ରଦାନ କରାଯାଇଥିଲା ।ସବୁଜ ସନାତନପାଲି ଏଫପିଓ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି ଚାଷ ଆରମ୍ଭ ହୋଇଥିଲା । ଆଉ ଏହି ଚାଷ କରିବାକୁ ଜଣେ 25 ବର୍ଷୀୟ ଯୁବ ଚାଷୀ ଇତିଶ ପ୍ରଧାନଙ୍କୁ ଦାୟିତ୍ୱ ଦିଆ ଯାଇଥିଲା । CSIR, National Botanical Research Institute, Lucknow ପକ୍ଷରୁ ଜିଲ୍ଲା ପ୍ରଶାସନର ସହାୟତାରେ ସନାତନପାଲି ଗାଁର ଏହି ଯୁବ ଚାଷୀଙ୍କୁ ଏକ ପଲି ହାଉସ (floriculture polyhouse)ର ବ୍ୟବସ୍ଥା ମାଗଣାରେ କରାଯାଇଥିଲା ।ଯୁବ ଚାଷୀ ଇତିଶ ପ୍ରଧାନ ନିଜ ପରିଶ୍ରମ ବଳରେ ବିପରୀତ ପରିବେଶରେ ଏହି ଉତ୍ତର ଆମେରିକୀୟ ଫୁଲ ଫୁଟେଇଛନ୍ତି ସମ୍ବଲପୁର ମାଟିରେ । ଏହାକୁ ଓଡିଶାରେ ପ୍ରଥମ ବୋଲି ଚାଷୀ ଜଣଙ୍କ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏଠାରେ ଯୁବ ଚାଷୀ 35ଟି ଫୁଲ ଫୁଟେଇବାରେ ସଫଳ ହୋଇଛନ୍ତି l ତେବେ ଆଗକୁ ଆହୁରି ଫୁଲ ଫୁଟିବ ବୋଲି ଯୁବ ଚାଷୀ ଇତିଶ କହିଛନ୍ତି ।
